ଗୁଣି ଗାରେଡି ସନ୍ଦେହରେ ପରିବାର ଉପରେ ସଙ୍ଘବଦ୍ଧ ଆକ୍ରମଣ, ବୁଝାଇବାକୁ ଯାଇ ପୋଲିସ ନାକେଦମ

Published By : Prameya-News7 Bureau | July 31, 2021 IST

ଗଜପତି,୩୧/୦୭: ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ।  ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ସୁବାସ ନଗର ଅଞ୍ଚଳରେ । ସେପଟେ ଉତ୍ତେଜିତ ଲୋକଙ୍କୁ ବୁଝାଇବା ପାଇଁ ପୋଲିସକୁ ବହୁ କସରତ କରିବାକୁ ପଡିଥିଲା ।

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ସୁବାସ ନଗର ରେଲି ସାହି ଅଞ୍ଚଳର ଶହ ଶହ ଲୋକ ଏକତ୍ରିତ ହୋଇ  ସେଇ ସାହିର ରାଜା ରାଓ ନାଗବଂଶ ନାମକ ଜଣେ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିଥିଲେ। ଗୁଣିଗାରେଡି କରୁଥିବା ସନ୍ଦେହ କରି ଘର ଉପରେ ଅତର୍କିତ ଆକ୍ରମଣ କରିଥିଲେ ଲୋକେ। ଏପରିକି ଘରେ ପସି ଆସବାବପତ୍ର ନଷ୍ଟ କରିବା ସହ ରାଜା ରାଓଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହାର କାରଣ ବୁଝିବା ବେଳେ ଜଣା ପଡିଥିଲା ଯେ ରେଲି ସାହିର ବିନୋଦ ଶ୍ରୀରାମଙ୍କ ନାବାଳିକା ଝିଅର ଦେହ ଦୀର୍ଘ ଦିନ ଧରି  ଅସୁସ୍ଥ ରହିଛି । ଡାକ୍ତରୀ ଚିକିତ୍ସାରେ ମଧ୍ୟ ଝିଅଟି ଭଲ ନ ହେବା ପରେ ସାହି ଲୋକେ ଓ ବିନୋଦଙ୍କ ପରିବାର ଲୋକେ ରାଜରାଓଙ୍କ ଉପରେ ଗୁଣିଗାରେଡି କରୁଥିବା ସନ୍ଦେହ କରି ସଂଘବଦ୍ଧ ଆକ୍ରମଣ କରିଥିଲେ। ସେପଟେ ରାଜରାଓଙ୍କ କହିବା ହେଲା ସେ ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି । ଲୋକେ ହଠାତ ଆକ୍ରମଣ କରି ତାଙ୍କ ଘରର ଆସବାବପତ୍ର ଭାଙ୍ଗିଦେବା ସହ ଗାଡି,ସ୍କୁଟି ଭାଙ୍ଗି ଦେଇଛନ୍ତି  ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା , ପରିସ୍ଥିତି ଅଣାୟତ୍ତ ହେବାରୁ ବ୍ୟାପକ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ରାଜା ରାଓ ଏବଂ ତାଙ୍କର ପରିବାରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପରିସ୍ଥିତି ଉପରେ ନଜର ରଖିଛି ପାରଳାଖେମୁଣ୍ଡି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.