ପରଲୋକରେ ଅକ୍ଲାନ୍ତ ଦାସ, ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅଙ୍କ ଅକାଳ ମୃତ୍ୟୁ
25/01/2023 at 9:16 AM

କଟକ ୨୫।୦୧ : ମିହିର ଦାସଙ୍କ ପରିବାରକୁ ପୁଣି ଶୋକର ଛାୟା । ଗୋଟିଏ ବର୍ଷ ତଳେ ମିହିର ଦାସଙ୍କ ପରଲୋକ ହୋଇଥିଲା । ଆଉ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । କଟକ ସ୍ଥିତ ବାସଭବନରେ ଆଖିବୁଜିଲେ ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ।
ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଅକ୍ଲାନ୍ତ ଲିଭର ଜନିତ ସମସ୍ୟା ଯୋଗୁଁ ଚିକିତ୍ସା ହେଉଥିଲେ । ପ୍ରାୟ ୧ ମାସ ହେଲା ଏମ୍ସରେ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ । ହେଲେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ହଠାତ୍ ଅକ୍ଲାନ୍ତଙ୍କ ପରଲୋକ ହୋଇଯାଇଛି । ଯାହାପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପାଠ ପଢା ଶେଷ କରିଥିଲେ । ଗତ ଏକ ମାସ ହେବ ତାଙ୍କର ବୃକକ ଜନିତ ସମସ୍ୟା ଥିବାରୁ ଚିକିତ୍ସା ଚାଲିଥିଲା । ବୁଧବାର ଦିନ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା ।
ସେପଟେ ଅକ୍ଲାନ୍ତଙ୍କ ବିୟୋଗ ପରେ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଲିଉଡ୍ର ବରିଷ୍ଠ ଅଭିନେତା ଓ ଟେକ୍ନିସିଆନ୍ ମାନେ ସ୍ୱର୍ଗତ ମିହିର ଦାସଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏହାପରେ ୨୦୨୧ ମସିହାରେ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଥିଲା । ଆଉ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ମୃତ୍ୟୁ ହୋଇଯାଇଛି ।