ଅନ୍ନଦାତା ମତଦାତା ହେବା ବେଳକୁ ବିଜେପିକୁ ମନେ ପଡିଲା ସେମାନଙ୍କ କଥା : ଅଖିଳେଶ

Published By : Prameya-News7 Bureau | August 12, 2021 IST

ଲକ୍ଷ୍ନୌ ୧୨।୮: ବିଧାନସଭା ନିର୍ବାଚନ ଲାଗି ଉତ୍ତରପ୍ରଦେଶ ରାଜନୀତି ଏବେ ପଡ଼ଉଠ ହେଉଛି। ପୁଣି ଥରେ ଚାଷୀଙ୍କ ବିଶ୍ୱାସ ଜିତିବା ଲାଗି ରାଜ୍ୟରେ ବିଜେପି ବିଭିନ୍ନ କୃଷକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଥିବା ବେଳେ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା  ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ଗୁରୁବାରଦଳର ପଦକ୍ଷେପକୁ ହାସ୍ୟସ୍ପଦ କହିଛନ୍ତି। ବିଜେପିକୁ ଭୋଟ ଦେଇସାରିବା ପରଠାରୁ ରାଜ୍ୟରେ ଚାଷୀ ପସ୍ତାଉଛନ୍ତି। ଏବେ ନିର୍ବାଚନ ପାଖଉଥିବା ବେଳେ ବିଜେପି ସେମାନଙ୍କ ନିକଟତର ହେବାକୁ ଉଦ୍ୟମ କରୁଛି। ହେଲେ ଏଥର ଚାଷୀ ଆଉ ଭଳିବେନି ବୋଲି କହିଛନ୍ତି ଅଖିଳେଶ।

ଅନ୍ନଦାତା ରାଜ୍ୟରେ ଏବେ ମତଦାତା ହେବାର ସମୟ ଆସିଯାଇଛି ବୋଲି ଅଖିଳେଶ କହିଛନ୍ତି। ରାଜ୍ୟରେ ଚାଷୀ ଏକଜୁଟ ହୋଇ ବିଜେପିକୁ ହରାଇବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଅନ୍ନଦାତା ଯେତେବେଳେ ମତଦାତା ହେବାକୁ ଯାଉଛି ସେତେବେଳେ ବିଜେପିକୁ ସେମାନଙ୍କ କଥା ମନେ ପଡୁଛି । ସେମାନଙ୍କ ନିକଟତର ହେବା ଲାଗି କାର୍ଯ୍ୟକ୍ରମ ଘୋଷଣା କରୁଛି। ହେଲେ ଏତେ ଦିନ ସରକାର କରୁଥିଲେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

{"id":494907,"width":840,"height":472,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ଗତ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ଚାଷୀଙ୍କ ଆୟ ଦୁଇଗୁଣା କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ଦେଶରେ ଚାଷୀଙ୍କ ମୁଣ୍ଡରେ ଗୋଟିଏ କି ଦୁଇଟି ନୁହେଁ ଏକ କାଳୀନ ୩ଟି କଳା କୃଷି ଆଇନ ଲଦି ଦେଇଛି। ଯାହାକୁ ବିରୋଧ କରି ଚାଷୀ ୮ ମାସରୁ ଊର୍ଦ୍ଧ୍ୱକାଳ ହେଲା ଦିଲ୍ଲୀ ସୀମାମାନଙ୍କରେ ଧାରଣା ଦେଇ ବସିଛନ୍ତି। ଅନେକ ଚାଷୀ ଆଇନ ପ୍ରତ୍ୟାହାର ଲାଗି ଆନ୍ଦୋଳନକୁ ଆସି ଶହିଦ ବି ହେଲେଣି। ହେଲେ ସରକାରଙ୍କ ଆଖିକୁ ସେମାନଙ୍କ ଯନ୍ତ୍ରଣା ଏପର୍ଯ୍ୟନ୍ତ ଦେଖାଯାଉନି ବୋଲି ଅଖିଳେଶ କହିଛନ୍ତି।

ଆଗାମୀ ନିର୍ବାଚନମାନଙ୍କରେ ବିଜେପିକୁ ଏହାର ଜବାବ ଜନତା ନିଶ୍ଚିତ ଦେବେ ବୋଲି ଅଖିଳେଶ କହିଛନ୍ତି। ଯାହାର ନେତୃତ୍ୱ ସବୁ ରାଜ୍ୟରେ ଚାଷୀମାନେ ନେବେ। ଉଲ୍ଲେଖ  ଯୋଗ୍ୟଯେ କୃଷି ଆଇନକୁ ନେଇ ଚାଲିଥିବା କୃଷକ ଆନ୍ଦୋଳନର ପ୍ରଭାବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ପଡିବ ବୋଲି ସରକାରଙ୍କୁ ଜାଣାପଡିଗଲାଣି। ଏଣୁ ରାଜ୍ୟରେ ବିଜେପି ଚାଷୀଙ୍କୁ ନିଜ ପକ୍ଷକୁ ନେବା ଲାଗି  ‘କିଷାନ ସମ୍ପର୍କ’ ଓ ‘କିଷାନ ସମ୍ବାଦ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ରାଜ୍ୟରେ ୧୬ରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ବିଜେପି ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.