କେବେ କେବେ ବୁଲ୍ଡୋଜର ବି ଓଲଟା ଚାଲେ : ଅଖିଳେଶ ଯାଦବ

Published By : Prameya-News7 Bureau | July 20, 2022 IST

ଲକ୍ଷ୍ନୌ ୨୦।୭: ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳର କେତେକ ମନ୍ତ୍ରୀ ବଦଳିରେ ଅନିୟମିତତାକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଯାହାକୁ ନେଇ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ଏକ ଟ୍ୱିଟ୍‌ କରିଥିବା ବେଳେ କେବେ କେବେ ବୁଲ୍ଡୋଜର ବି ଓଲଟା ଚାଲିଥାଏ ବୋଲି ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ ଅଖିଳେଶ ଟ୍ୱିଟ୍‌ରେ ଯୋଗୀଙ୍କ ମନ୍ତ୍ରୀ ଦିନେଶ ଖଟିକଙ୍କୁ ଇସ୍ତଫା ପରାମର୍ଶ ମଧ୍ୟ ଦେଇଛନ୍ତି।

ଯେଉଁଠି ମନ୍ତ୍ରୀ ହେଲେ ସମ୍ମାନ ତ ନାହିଁ ବରଂ ଦଳିତ ହୋଇଥିବାରୁ ଅପମାନ ମିଳେ ବୋଲି ଅଖିଳେଶ ଟ୍ୱିଟ୍‌ରେ ଉଲ୍ଲେଖ କରିବା ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏଣୁ ଅଖିଳେଶ ଏପରି ଭେଦଭାବପୂର୍ଣ୍ଣ ବିଜେପି ସରକାରରେ ଅନ୍ତତଃ ନିଜ ସମାଜର ମାନ ରଖିବା ପାଇଁ ଇସ୍ତଫା ଦେଇଦେବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ଯୋଗୀ ସରକାରଙ୍କ ମନ୍ତ୍ରୀ ଦିନେଶ ଖଟିକଙ୍କ ଇସ୍ତଫା ସାମ୍ନାକୁ ଆସିବା ପରେ ଅଖିଳେଶ ଏହି ଟ୍ୱିଟ୍‌ କରିଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ଯୋଗୀ ସରକାରଙ୍କ ଜଳଶକ୍ତି ବିଭାଗ ରାଜ୍ୟମନ୍ତ୍ରୀ ଦିନେଶ ଖଟିକ ସରକାରରେ ଦଳିତଙ୍କୁ ଉଚିତ ମାନସମ୍ମାନ ମିଳୁନଥିବା ଦର୍ଶାଇ ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହା ଛଡା ସେ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଓ ରାଜଭବନକୁ ମଧ୍ୟ ପଠାଇଛନ୍ତି। ସେ ଦଳିତ ହୋଇଥିବାରୁ ବିଭାଗରେ ତାଙ୍କ କଥା କେହି ଶୁଣୁ ନଥିବା ଉଲ୍ଲେଖ କରିଛନ୍ତି। ଏପରିକି ତାଙ୍କୁ ବୈଠକର ସୂଚନା ଦିଆଯାଉନଥିବା ଓ ଡକାଯାଉନଥିବା କହିଛନ୍ତି। କେବଳ ରାଜ୍ୟମନ୍ତ୍ରୀ ଅଧିକାରରେ ତାଙ୍କୁ କେବଳ ଏକ ସରକାରୀ ଗାଡି ଦେଇ ଦିଆଯାଇଛି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗଙ୍କ ଡାକ୍ତର ବଦଳି ଓ ପଡବ୍ଲୁଡି ବିଭାଗରେ ହୋଇଥିବା ବଦଳିରେ ଭ୍ରଷ୍ଟାଚାର ହୋଇଥିବା ଏବେ ସାମ୍ନାକୁ ଆସିଛି। ଘଟଣା ଜଣା ପଡିବା ପରେ ଯୋଗୀ ସରକାର ବଡ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ପିଡବ୍ଲୁଡି ମନ୍ତ୍ରୀ ଜିତିନ ପ୍ରସାଦଙ୍କ ଓଏସଡି ଅନିଲ କୁମାର ପାଣ୍ଡେଙ୍କୁ ହଟାଇ ଦିଆଯାଇଛି। ଏହା ଛଡା ବିଭାଗର ୫ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରିଦିଆଯାଇଛି। ଯାହାକୁ ନେଇ ଜିତିନ ପ୍ରସାଦ ମଧ୍ୟ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଏହାକୁ ନେଇ ସେ ଦିଲ୍ଲୀରେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଘଟଣାରେ ସେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.