ଭାରତ ଛୋଡ ନାରା ଭଳି ବିହାରରୁ 'ବିଜେପି ଭଗାଓ'ର ନୂଆ ନାରା ଶୁଣିବାକୁ ମିଳୁଛି: ନୀତୀଶଙ୍କ ଇସ୍ତଫା ପରେ ଅଖିଳେଶଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | August 09, 2022 IST

ଲକ୍ଷ୍ନୌ: ରାଜନୀତିରେ ସୁବିଧାବାଦୀ ନେତା କୁହାଯାଉଥିବା ନୀତୀଶ କୁମାର ପୁଣିଥରେ ତାଙ୍କର ସହଯୋଗୀ ଦଳକୁ ଧୋକା ଦେଇଛନ୍ତି। ବିଜେପି ଛାଡ଼ି ସେ ପୁଣି ଲାଲୁଙ୍କ ଦଳ ଆର୍‌ଜେଡି ସହ ମିଶିବେ ବୋଲି ଏକପ୍ରକାର ସ୍ଥିର ହୋଇଛି । ଏଥିପାଇଁ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇସାରିଛନ୍ତି।

ବିହାରରେ ବିଜେପି ଏକା ପଡ଼ିଯିବା ପରେ ଉତ୍ତର ପ୍ରଦେଶରୁ ଦଳକୁ ସମାଲୋଚନା କରାଯାଇଛି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ନୀତୀଶଙ୍କ ନିଷ୍ପତ୍ତିକୁ ଗୁଡ୍ ଷ୍ଟାଟ୍ ବୋଲି କହିଛନ୍ତି। ଖୁବ୍‌ଶୀଘ୍ର ଅନ୍ୟା ଦଳମାନେ ମଧ୍ୟ ବିଜେପି ବିରୋଧରେ ଛିଡ଼ା ହେବେ ବୋଲି ଅଖିଳେଶ କହିଛନ୍ତି।

ନୀତୀଶଙ୍କ ବିଜେପି ଛାଡ଼ ନିଷ୍ପତ୍ତିକୁ ଅଖିଳେଶ ଭାରତ ଛାଡ଼ ଅଭିଯାନ ସହ ତୁଳନା କରିଛନ୍ତି। ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଯେପରି ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। ଠିକ୍ ସେହିପରି ସମାନ ସ୍ଲୋଗାନ ବିହାରରୁ ବିଜେପି ବିରୋଧରେ ଶୁଣିବାକୁ ମିଳୁଛି ବୋଲି ଅଖିଳେଶ କହିଛନ୍ତି।

ଅଖିଳେଶ କହିଛନ୍ତି “ଏହା ଏକ ଭଲ ଆରମ୍ଭ। ଏହି ଦିନରେ ‘ଇଂରେଜ ଭାରତ ଛାଡ଼’ ନାରା ଦିଆଯାଇଥିଲା। ହେଲେ ଆଜି ବିହାରରୁ ବିଜେପି ଭଗା ଓ ନାରା ଶୁଣିବାକୁ ମିଳୁଛି। ମୁଁ ଭାବୁଛି ଖୁବ୍‌ଶୀଘ୍ର ରାଜନୈତିକ ଦଳ ଓ ବିଭିନ୍ନ ରାଜ୍ୟର ଲୋକମାନେ ବିଜେପି ବିରୋଧରେ ଛିଡ଼ା ହେବେ।” ଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ଅଖିଳେଶ ଏପରି କହିଛନ୍ତି।  

ଏପଟେ ନୀତୀଶ କୁମାର ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ନିଜର ଇସ୍ତଫା ଦେବା ସହ ନୂଆ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଲାଲୁଙ୍କୁ ଜେଡିୟୁ ଦଳ ସହ ବୈଠକ କରି  ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ନିଷ୍ପତ୍ତି ନେବା ପରେ ନୀତୀଶ ଏଭଳି ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.