ଦେଢ଼ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ବିଧାୟକ ଅଖିଲ୍‌ ଗୋଗୋଇ, ଦୁଇ ମାମଲାରେ କ୍ଲିନ୍‌ ଚିଟ୍‌ ଦେଲା NIA

Published By : Prameya-News7 Bureau | July 01, 2021 IST

ଗୌହାଟି ୧/୭: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ଆନ୍ଦୋଳନ ସମୟରେ ହିଂସା ଅଭିଯୋଗରେ ଜେଲ୍‌ରେ ଥିବା ଆସାମର ବିଧାୟକ ଅଖିଲ୍‌ ଗୋଗୋଇ ଗୁରୁବାର ମୁକୁଳିଛନ୍ତି। ସେ ଗତ ଦେଢ଼ ବର୍ଷ ହେଲା ଜେଲ୍‌ରେ ଥିଲେ। ଗୁରୁବାର ସିଏଏ ବିରୋଧୀ ଆନ୍ଦୋଳନ ସହ ଜଡ଼ିତ ଏକ ମାମଲାରେ ଏନଆଇଏ କୋର୍ଟ ରାୟ​‌ଜୋର ଦଳର ମୁଖ୍ୟଅଖିଲ୍‌ ଗୋଗୋଇଙ୍କୁ ଖଲାସ କରିଛନ୍ତି। ଗତ ସପ୍ତାହରେ ଅନ୍ୟ ଏକ ମାମଲାରେ ମଧ୍ୟ ତାଙ୍କୁ କ୍ଲିନ୍‌ ଚିଟ୍‌ ମିଳିଥିଲା।

ଜେଳ୍‌ରୁ ବାହାରିବା ପରେ ଅଖିଳ ଗୋଗୋଇ କହିଛନ୍ତି, ‘ମୁଁ ପ୍ରଥମେ ସ୍ୟାମ୍‌ ଷ୍ଟାଫର୍ଡଙ୍କ ପରିବାରକୁ ସାକ୍ଷାତ କରିବାକୁ ଯିବି। ଯିଏକି ସିଏଏ ବିରୋଧୀ ଆନ୍ଦୋଳନରେ ପ୍ରଥମ ସହିଦ ହୋଇଥିଲା। ଏହା ପରେ ମୁଁ କୃଷକ ମୁକ୍ତି ସଂଗ୍ରାମ ସମିତି କାର୍ଯ୍ୟାଳୟ ଯିବି। ତାପରେ ନିଜର ରାୟଜୋର ଦଳ କାର୍ଯ୍ୟାଳୟରେ ପହଞ୍ଚିବି। ଶୁକ୍ରବାର ସକାଳେ ମୋ ବିଧାନସଭା କ୍ଷେତ୍ର ପରିଦର୍ଶନରେ ଯିବି।’

 ଏହା ସହ ସରକାରଙ୍କ ଚାପ ସତ୍ବେ କୋର୍ଟ ଏମିତି ଫ୍ରି ଆଣ୍ଡ ଫେୟାର ରାୟ ଦେବେ ଆଶା ନଥିଲା। ଏଥିରୁ ଜଣାପଡ଼ୁଛି ନ୍ୟାୟିପାଳିକା ଆଜି ବି ସ୍ବତନ୍ତ୍ର ରହିଛି। ଲୋକମାନେ ତା ଉପରେ ବିଶ୍ବାସ କରିପାରିବେ ବୋଲି ଗୋଗୋଇ କହିଛନ୍ତି।

ଅଖିଲ୍‌ ଗୋଗୋଇଙ୍କୁ ୨୦୧୯ରେ ଗିରଫ କରାଯାଇଥିଲା। ପ୍ରଶାସନ ଅନୁସାରେ, ଗୋଗୋଇ ଉସୁକାଇବା ଫଳରେ ଆନ୍ଦୋଳନ ସମୟରେ ହିଂସା ହୋଇଥିଲା। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ଗୌହାଟିର ଚାନ୍ଦମାରୀ ଅଞ୍ଚଳରେ ଆନ୍ଦୋଳନକୁ ନେଇ ତାଙ୍କ ଉପରେ ହୋଇଥିବା ମାମଲାରେ କୋର୍ଟ ଗୋଗୋଇକୁ ମୁକ୍ତ କରିଛନ୍ତି ବୋଲି ତାଙ୍କ ଓକିଲ ଶାନ୍ତନୁ ବୋରଠାକୁର କହିଛନ୍ତି। ଏହା ପୂର୍ବରୁ ଡିବ୍ରୁଗଡ଼ ଜିଲ୍ଲାର ଛାବୁଆ ମାମଲାରେ ଏନଆଇଏ କୋର୍ଟ ଅଖିଲ୍‌ଙ୍କୁ ନିର୍ଦୋଷରେ ଖଲାସ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.