ଏସୀୟ କ୍ରୀଡାର ୨୦୦ ମିଟର ଦୌଡ ପାଇଁ ସେମି ଫାଇନାଲରେ ପହଂଚିଥିବା ହିମା ଦାସଙ୍କ ବାୟୋପିକ୍ ନିର୍ମାଣ କରିବେ ଅକ୍ଷୟକୁମାର

Published By : Prameya-News7 Bureau | August 28, 2018 IST

ମୁମ୍ବାଇ ୨୮/୮:ବଲିଉଡରେ ଚାଲିଥିବା ବାୟୋପିକର ଧାରାରେ ଫିଲ୍ମମେକର ଏବଂ ଆକ୍ଟରଙ୍କୁ ଖେଳାଳିଙ୍କ କାହାଣୀ ଦିନକୁ ଦିନ ଅଧିକ ଆକର୍ଷିତ କରୁଛି । ଏହି କ୍ରମରେ ଆସାମର ଆଥଲେଟ୍ ହିମା ଦାସଙ୍କ ନାଁ ଯୋଡି ହୋଇଛି ଏବେ। ଆସାମର ୧୮ ବର୍ଷ ବୟସ୍କା ଆଥେଲେଟ୍ହିମା ଗତ ଆଇଏଏଫର ଅଣ୍ଡର୍-୨୪ ଚାମ୍ପିଅନଶିପରେ ୪୦୦ମିଟର ଦୈାଡ଼ରେ ସ୍ବର୍ଣ୍ଣ ଜିତିଛନ୍ତି । ୧୮ମ ଏସୀୟ କ୍ରୀଡାରେ ୪୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିସାରିଛନ୍ତି । ସେହିଭଳି ୨୦୦ ମିଟର ଦୌଡ ପାଇଁ ସେମିଫାଇନାଲରେ ପହଂଚିଛନ୍ତି । ତାଙ୍କ ଟ୍ରେକ୍ ରନିଙ୍ଗର ଉପଲବ୍ଧି ଦେଖି ବଲିଉଡ ଅଭିନେତା ଅକ୍ଷୟକୁମାର ବେଶ ପ୍ରଭାବିତ ହୋଇଛନ୍ତି । ନିକଟରେ ଅକ୍ଷୟକୁମାର ଘୋଷଣା କରିଥିଲେ ଯେ, ସେ ହିମା ଦାସଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରିବାକୁ ଚାହୁଁଛନ୍ତି। ଅକ୍ଷୟଙ୍କ ବ୍ୟାନର ସହିତ ଜଡ଼ିତ ଟିମ୍ ଖୁବ୍ ଶୀଘ୍ର ହିମାଙ୍କ ଉପରେ ରିସର୍ଚ୍ଚ ଆରମ୍ଭ କରିବାକୁ ଯାଉଛନ୍ତି । ବର୍ତ୍ତମାନ ରିଲିଜ୍ ହୋଇଥିବା ଫିଲ୍ମ ‘ଗୋଲ୍ଡ’ ରେ ଅକ୍ଷୟଙ୍କ ସହ କାମ କରିଥିବା ଡାଇରେକ୍ଟର ରୀମା କାଗତି ମଧ୍ୟ ହିମାଙ୍କ ଫ୍ୟାନ୍ ହୋଇଗଲେଣି। ଶୁଣିବାକୁ ମିଳୁଛି ଯେ, ସେ ଅକ୍ଷୟଙ୍କ ପାଇଁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇପାରନ୍ତି। ଆସାମର ନଙ୍ଗାବ ଜିଲ୍ଲାର କାନ୍ଧୁଲିମାରୀ ଗାଁରେ ହିମାଙ୍କ ଜନ୍ମ। ତାଙ୍କ ବାପା ମା’ ଧାନ କ୍ଷେତରେ କାମ କରନ୍ତି। ସ୍କୁଲ୍ ଦିନରୁ ହିଁ ହିମା ପୁଅମାନଙ୍କ ସାଙ୍ଗରେ ଫୁଟବଲ୍ ଖେଳୁଥିଲେ। ପରେ ସେ ଖେଳ ଶିକ୍ଷକ ଶମଶୁଲ ହକ୍ଙ୍କ ପରାମର୍ଶ କ୍ରମେ ଦୈାଡ଼ିବା ଆରମ୍ଭ କରିଥିଲେ। ଏହା ପରେ ହିମା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ପଦକ ପାଇଥିଲେ । ଏହି ପ୍ରତିଯୋଗିତା ବେଳେ ରାଜ୍ୟ କ୍ରୀଡା ଓ ଯୁବକଲ୍ୟାଣ ବିଭାଗର ନିପୋନ୍ ଦାସଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ନିପୋନ୍ ହିମାଙ୍କ ପରିବାର ଲୋକଙ୍କୁ ବୁଝାଇଥିଲେ ଏବଂ ହିମାଙ୍କୁ ଉତ୍ତମ ପ୍ରଶିକ୍ଷଣ ନିମନ୍ତେ ଗୁଆହାଟି ନେଇଯାଇଥିଲେ। ଓ୍ବାର୍ଲ୍ଡ ଜୁନିୟର ଆଥଲେଟିକ୍ସ ଚାମ୍ବିଅନଶିପରେ ସେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଅଟନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.