ଜେଲ୍ ଫେରିଲେ ଆକାଶ ପାଠକ, ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | December 16, 2020 IST

ଭୁବନେଶ୍ବର ୧୬।୧୨: ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲ୍‌କୁ ଫେରିଛନ୍ତି ଟାଟା ନିଯୁକ୍ତି ଠକେଇର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକ । ଗଲା ୫ଦିନ ଧରି ଆକାଶଙ୍କୁ ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ । କେବଳ ଆକାଶ ପାଠକ ନୁହନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଆକାଶଙ୍କ ସହ ସାମ୍ନାସାମ୍ନି ଜେରା କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଆକାଶଙ୍କ ପର୍ସନାଲ ସେକ୍ରେଟାରୀ ଡେଭିଡ୍‌ ପିଟରଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଆକାଶ ଓ ପ୍ରଦୀପଙ୍କ ମୁହାଁମୁହିଁ ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିବ ବୋଲି ଆଶା ରଖିଥିଲା କ୍ରାଇମବ୍ରାଞ୍ଚ । ହେଲେ ଉଭୟଙ୍କ ଅସହଯୋଗ ଯୋଗୁଁ  ଆଶାନୁରୂପ ତଥ୍ୟ ମିଳିନଥିବା ସୂଚନା ମିଳିଛି ।

ସେପଟେ କ୍ରାଇମବ୍ରାଞ୍ଚର ସୂଚନା ପରେ ପ୍ରଦୀପ ଓ ଆକାଶ ଲିଙ୍କରେ ଠକେଇ ମାମଲାରେ ଅନେକ ଲୋକ ସାମ୍ନାକୁ ଆସି ଅଭିଯୋଗ କରିଛନ୍ତି । ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଚାକିରୀ କରାଇଦେବା ନାଁରେ ସେମାନଙ୍କୁ ଠକିଥିବା କୁହାଯାଉଛି । ଅନ୍ୟପଟେ ଆସନ୍ତାକାଲି ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟ​‌ରେ ହାଜର କରିବ କ୍ରାଇମବ୍ରାଞ୍ଚ । ଏହାପରେ ଆକାଶ ଓ ଅଭୟ ପାଠକଙ୍କୁ ରିମାଣ୍ଡରେ ନେବାକୁ  ଆବେଦନ କରିବ କମିଶନରେଟ୍‌ ପୋଲିସ । ସ୍କାଏ କିଙ୍ଗ୍ ଠକେଇ ମାମଲାରେ ପାଠକ ବାପା-ପୁଅଙ୍କୁ ପଚରା ଉଚରା କରିବ ପୋଲିସ । ସେହିଭଳି ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ଆର୍ଥିକ କାରବାରର ତଦନ୍ତ ଆରମ୍ଭ କରିଛି ଇଡି । ଏହା ଭିତରେ ୪ଟି ବ୍ୟାଙ୍କର ଅଧିକାରୀଙ୍କୁ ଡାକି ସେମାନଙ୍କଠାରୁ ଆର୍ଥିକ କାରବାରର ଅନେକ ତଥ୍ୟ ହାସଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.