ପ୍ରଦୀପ-ଆକାଶଙ୍କୁ ସାମ୍ନାସାମ୍ନି ଜେରାରେ ସାମ୍ନାକୁ ଆସିଲା ଅନେକ ସତ, ସାରା ଓଡିଶାରେ ନେଟଓ୍ୱର୍କ ବିସ୍ତାର ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ୍

Published By : Prameya-News7 Bureau | December 17, 2020 IST

ଭୁବନେଶ୍ୱର,୧୭/୧୨: ଫିଟିଲା ଗୁମର । ଭାବି ଶ୍ୱଶୂର-ଜ୍ୱାଇଁଙ୍କୁ ଜେରା ବେଳେ ସାମ୍ନାକୁ ଆସିଲା ଅନେକ କଥା । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଆକାଶ ପାଠକଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଯାଇଛି। ତାଙ୍କୁ ପୁଣି ଜେଲ୍‌କୁ ପଠାଇ ଦିଆଯାଇଛି। ରିମାଣ୍ଡ ବେଳେ ଆକାଶଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରିଥିଲା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଆକାଶଙ୍କ ସାମ୍ନାରେ ଜେରା କରାଯାଇଥିଲା । ଜେରା ବେଳେ ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟରଙ୍କୁ ମଧ୍ୟ ସାମିଲ କରିଥିଲା କ୍ରାଇମବ୍ରାଞ୍ଚ। ଆକାଶ ଓ ପ୍ରଦୀପଙ୍କୁ ମୁହାଁମୁହିଁ ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ।

ଜେରାରେ ସାମ୍ନାକୁ ଆସିଛି ଯେ, ପ୍ରଦୀପ ଓ ଆକାଶ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମର ଶିକ୍ଷିତ ଯୁବକ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ।  ଓଡ଼ିଶା ସାରା ନେଟ୍‌ୱର୍କ ଖୋଲି ଲୁଟିବାକୁ ଯୋଜନା କରିଥିଲେ। ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଉଭୟ ଭାବି ଶ୍ୱଶୁର ଓ ଜ୍ୱାଇଁ । ଜେରା ସମୟରେ ଆକାଶ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ମିଛ କହି ବାଉଳା କରିବାକୁ ଉଦ୍ୟମ କରିଥିଲେ । ହେଲେ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚକୁ ମିଳିଥିବା ତଥ୍ୟ ଅନେକ ଫାଇଦା ଦେଇଥିଲା।

ଏପରିକି ଆହୁରି ସୂଚନା ମିଳିଛି ଯେ,  ଆକାଶ ଟାଟାରେ ଚାକିରି କରିନାହାନ୍ତି ବୋଲି ପ୍ରଦୀପ ଜାଣିଥିଲେ। କିନ୍ତୁ ସେ କାହାକୁ କିଛି କହୁନଥିଲେ। ତାଙ୍କ ନିର୍ବାଚନ ମଣ୍ଡଳୀର ଯେଉଁ ସବୁ ଲୋକ ଚାକିରି ପାଇଁ ପ୍ରଦୀପଙ୍କ ପାଖକୁ ଆସୁଥିଲେ ସେମାନେ ଲୁଟ୍‌ର ଶିକାର ହେଉଥିଲେ। ଚାକିରି ଆଶାୟୀମାନେ ପ୍ରଦୀପଙ୍କ ଖାସ୍‌ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଭେଟୁଥିଲେ। ସର୍ୱବେଶ୍ୱର ଏମାନଙ୍କ କାଗଜପତ୍ର ଆକାଶଙ୍କ ପାଖକୁ ପଠାଉ ଥିଲେ। ଅନ୍‌ଲାଇନ୍‌ରେ ସାକ୍ଷାତକାର ପରେ ଜଣଙ୍କ ପିଛା ୫ରୁ ୮ ଲକ୍ଷ ଟଙ୍କା ମାଗୁଥିଲେ ଆକାଶ। ଏବେ ସର୍ବେଶ୍ୱର କ୍ରାଇମ୍‌ବ୍ରାଞ୍ଚ ସ୍କାନରରେ ରହିଛନ୍ତି। ସେ ଏହି ୨ ଜଣଙ୍କ କଳା କାରନାମା ସବୁ ଜାଣିଛନ୍ତି । ତାଙ୍କଠାରୁ ଅନେକ ପ୍ରମାଣ ମିଳିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।

ଅନ୍ୟପଟେ ଗୁରୁବାର ପ୍ରଦୀପଙ୍କ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ । ଏହାପରେ ଆକାଶ ଓ ଅଭୟ ପାଠକଙ୍କୁ ରିମାଣ୍ଡରେ ନେବାକୁ କମିଶନରେଟ୍‌ ପୋଲିସ ଆବେଦନ କରିବ । ସ୍କାଏ କିଙ୍ଗ୍‌ ଠକେଇ ମାମଲାରେ ପାଠକ ବାପା-ପୁଅଙ୍କୁ ପଚରାଉଚରା କରାଯିବ । ସେହିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଦୀପ, ଅଭୟକାନ୍ତ ଓ ଆକାଶଙ୍କ ଆର୍ଥିକ କାରବାରର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.