ମୁମ୍ବାଇ ୨୫।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍କୁ ନେଇ ମହାରାଷ୍ଟ୍ର ସରକାର ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି। ଏ ନେଇ ସରକାର ବୟାନ ଜାରି କରିଥିବା ବେଳେ ରାଜ୍ୟରେ ବିବାଦୀୟ କୃଷି ବିଧେୟକକୁ ଲାଗୁ କରାଯିବନି ବୋଲି କହିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ରାଜ୍ୟରେ କେନ୍ଦ୍ରର କୃଷି ବିଲ ଲାଗୁ ନ ହେଉ ସେ ନେଇ ଆମେ ଉଦ୍ୟମ ଜାରି ରଖିଛୁ ।
ସୂଚନା ଯୋଗ୍ୟଯେ ନୂଆ କୃଷି ବିଲକୁ ନେଇ ସାରା ଦେଶରେ ଚାଷୀ ସଡକକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ବିଲ୍ ବିରୋଧରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ କେତେକ ସ୍ଥାନରେ ରେଳ ଲାଇନ ଅବରୋଧ କରିଛନ୍ତି। ଚାଷୀଙ୍କ ଆନ୍ଦୋଳନ ଯୋଗୁ ରେଳବାଇ ଅନେକ ଟ୍ରେନ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।
ଏଥିରେ ଅଜିତ ପାୱାର କହିଛନ୍ତି ଯେ ଚାଷୀ ବିଧେୟକକୁ ନେଇ ଅନେକ ରାଜ୍ୟରେ ଚାଷୀମାନେ ବିରୋଧ କରୁଛନ୍ତି। ସଂସଦରେ ଏନସିପି ମଧ୍ୟ ଏହି ବିଧେୟକକୁ ବିରୋଧ କରିଥିଲା। ତେବେ ଏପରି ବିଲ ଆଣିବାର କଣ ଆବଶ୍ୟକତା ଥିଲା ବୋଲି ପାୱାର ପ୍ରଶ୍ନ କରିଛନ୍ତି। ତେବେ ଆମେ ଚେଷ୍ଟା କରୁଛୁ ଏହି ବିଲ ଯେପରି ମହାରାଷ୍ଟ୍ରରେ ଲାଗୁ ନ ହୁଏ। ଏଥିଲାଗି ଆମେ ବୈଠକ କରୁଥିବାର ପାୱାର କହିଛନ୍ତି। ସେପଟେ ସଂସଦରେ ଗୃହୀତ ବିଧେୟକକୁ ନେଇ ଶୁକ୍ରବାର ସାରା ଦେଶରେ ଚାଷୀ ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି।