krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିରୋଧୀ ଦଳ ନେତାରୁ ୧ ଘଣ୍ଟାରେ ଅଜିତ୍ ପାଓ୍ଵାର ଡେପୁଟୀ ସିଏମ, ଗୋଟିଏ ତୀରରେ ବିଜେପିର ୩ ଶିକାର

3/07/2023 at 7:11 PM

ମୁମ୍ବାଇ: ଅଜିତ୍ ପାଓ୍ଵାର ହେଲେ ସିନ୍ଦେ-୨। ଗୋଟିଏ ଘଣ୍ଟାରେ ବଦଳିଗଲା ସମୀକରଣ। ବିରୋଧୀ ଦଳ ନେତାରୁ ହୋଇଗଲେ ଡେପୁଟୀ ସିଏମ। ଜଳକା ହୋଇଗଲେ ଶରଦ ପାଓ୍ଵାର। ଗୋଟିଏ ତୀରରେ ୩ ଶୀକାର କଲା ବିଜେପି ରବିବାର ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ମହାନାଟକ। ଅପ୍ରତ୍ୟାଶିତ ଭାବେ ବଦଳି ଯାଇଛି ରାଜ୍ୟ ରାଜନୀତିର ସମୀକରଣ। ଏନସିପିରେ ବିଦ୍ରୋହ କରି ଏକନାଥ ସିନ୍ଦେ ସରକାରକୁ ସମର୍ଥନ ଦେଲେ ଅଜିତ୍ ପାଓ୍ଵାର। ଆଉ ଉପମୁଖ୍ୟମନ୍ତ୍ରୀ ପଦ ହାତେଇବା ସହ ୯ ସମର୍ଥକ ବିଧାୟକ ନେଇଛନ୍ତି ମନ୍ତ୍ରୀ ପଦର ଶପଥ। ସେପଟେ ନିଜ ଦଳରେ ଏକା ପଡ଼ି ଯାଇଛନ୍ତି ଏନସିପି ମୁଖିଆ ଶରଦ ପାଓ୍ଵାର। ଆଉ ଫାଇଦାରେ ବିଜେପି। ପ୍ରଥମେ ଏକନାଥ ସିନ୍ଦେ ଆଉ ଏବେ ଅଜିତ୍ ପାଓ୍ଵାରକୁ ନିଜ ଆଡକୁ ଟାଣିବାରେ ସଫଳ ହୋଇଛି ବିଜେପି।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏକତାଙ୍କ ଉପରେ ପ୍ରହାର କରିଛି ବିଜେପି।  କେବଳ ଶରଦ ପାଓ୍ଵାର ନୁହେଁ ବିରୋଧୀଦଳଗୁଡ଼ିକୁ ଏହାର କ୍ଷତି ସହିବାକୁ ପଡ଼ିପାରେ। ସାଧାରଣ ନିର୍ବାଚନରେ ପ୍ରତ୍ୟାବର୍ତ୍ତନ କରିବାର ସ୍ଵପ୍ନ ଦେଖୁଥିବା କଂଗ୍ରେସକୁ ବି ଆଘାତ ଲାଗିଛି। ବିଜେପି ଅଜିତ୍ ପାଓ୍ଵାରଙ୍କ ତୀରରେ ଦୁଇଟି ଶିକାର କରିଛି। ଗୋଟିଏ ହେଲା ଏନସିପିକୁ ଦୁଇ ଫାଳ କରି ଏକଜୁଟ୍ ହେବାକୁ ଉଦ୍ୟମ କରୁଥିବା ବିରୋଧୀ ଦେଇଛି ବଡ଼ ଝଟକା। କାରଣ ବିରୋଧୀଙ୍କ ମହାମେଳିର ପ୍ରମୁଖ ଚେହେରା ଥିଲେ ଶରଦ ପାଓ୍ଵାର। ଅନ୍ୟଟି ହେଉଛି ମହାରାଷ୍ଟ୍ରରେ ନିଜର ସ୍ଥିତି ମଜବୁତ।

ଅଜିତ୍ ପାଓ୍ଵାର ସିନ୍ଦେ-ବିଜେପି ସରକାରରେ ସାମିଲ୍ ହେବା ବିଜେପିକୁ ମଜବୁତ କରିଛି। ସିନ୍ଦେ ଗୋଷ୍ଠୀ ବିନା ବି ବିଜେପି ମ୍ୟାଜିକ୍ ନମ୍ବରରେ ପହଞ୍ଚି ପାରିଛି। ବର୍ତ୍ତମାନ ସରକାର ନିକଟରେ ରହିଛି ୧୬୬ ବିଧାୟକଙ୍କ ସମର୍ଥନ। ଯଦି ସିନ୍ଦେ କ୍ୟାମ୍ପରୁ ୪୦ ବିଧାୟକ ଚାଲି ଯାଆନ୍ତି ତେବେ ସଂଖ୍ୟା ୧୨୬କୁ ଖସି ଆସୁଛି। ଯଦି ଅଜିତ୍ ପାଓ୍ଵାରଙ୍କ ୩୦ ବିଧାୟକକୁ ଯୋଡ଼ି ଦିଆଯାଏ ସରକାରଙ୍କ ପାଖରେ ୧୫୬ ବିଧାୟକଙ୍କ ସମର୍ଥନ ରହୁଛି, ଯାହା ବହୁମତଠୁ ୧୧ ଅଧିକ। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ତାଙ୍କ ଉପରେ ଭାରି ପଡ଼ିବେ ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଏବଂ ଅଜିତ୍ ପାଓ୍ଵାର।

କେବଳ ବିଧାୟକ ନୁହନ୍ତି ତାଙ୍କ ପାଖରେ ୩ ସାଂସଦ ଥିବା ଦାବି କରିଛନ୍ତି ଅଜିତ୍ ପାଓ୍ଵାର। ଗତ ଲୋକସଭା ନିର୍ବାଚନରେ ଶିବସେନା ସହିତ ଥାଇ ବି ଶିବସେନାକୁ ମିଳିଥିଲା ୧୮ ସିଟ୍। କିନ୍ତୁ ସିନ୍ଦେଙ୍କ ପକ୍ଷରୁ ଏତେ ସିଟ୍ ମିଳିବାର ସମ୍ଭାବନା ନାହିଁ। ଏବେ ଅଜିତ୍‌ଙ୍କ ଆଗମନରେ ବିଜେପିକୁ ଲୋକସଭା ନିର୍ବାଚନରେ ନୂତନ ପାର୍ଟନର ମିଳି ଯାଇଛି। ଅଜିତ୍‌ଙ୍କ ଏନସିପି ଏବଂ ସିନ୍ଦେଙ୍କ ଶିବସେନା ସହ ମିଶି ମହାରାଷ୍ଟ୍ର ସହ କେନ୍ଦ୍ରରେ ଏନଡିଏକୁ ମଜବୁତ କରିବାକୁ ବିଜେପିକୁ ସୁଯୋଗ ମିଳି ଯାଇଛି। ଏମିତି କରି ଗୋଟିଏ ତୀରରେ ୩ ଶିକାର କରିଛି ବିଜେପି। ଶରଦ ପାଓ୍ଵାରଙ୍କ ପରବର୍ତ୍ତୀ ପଦକ୍ଷେପ ଏବେ ଦେଖିବା ବାକି ରହିଲା।

ଏ ଖବର ପଢନ୍ତୁ- ଅଜିତ ପଓ୍ବାରଙ୍କ ବିଦ୍ରୋହକୁ ନେଇ ଶରଦ ପଓ୍ବାରଙ୍କ ବଡ଼ ବୟାନ, କହିଲେ- ସମୟ ଆସିବ ସମସ୍ତେ ମୋ ସହ ଥିବେ

   Related Posts