ଅଜିତ ଅଗରକର ଟିମ୍ ଇଣ୍ଡିଆର ନୂତନ ଚୟନକର୍ତ୍ତା ମୁଖ୍ୟ ନିଯୁକ୍ତ, BCCI କଲା ଘୋଷଣା
4/07/2023 at 9:55 PM

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ବିଶ୍ଵକପ୍ ୨୦୨୩ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ମିଳିଲା ନୂତନ ଚୟନକର୍ତ୍ତା ମୁଖ୍ୟ। ପୂର୍ବତନ କ୍ରିକେଟର ତଥା ବରିଷ୍ଠ ବୋଲର ଅଜିତ ଅଗରକରଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନୂତନ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ଚେତନ ଶର୍ମାଙ୍କୁ ବରଖାସ୍ତ କରାଯିବା ପରେ ଅନେକ ମାସ ଧରି ଏହି ପଦ ଖାଲି ପଡ଼ିଥିଲା। ବିସିସିଆଇ ଏହି ପଦ ପାଇଁ ଜୁନ ୩୦ ଭିତରେ ଆବେଦନ ମଗାଇଥିଲା। ଅଶୋକ ମାଲହୋତ୍ରା, ଜତିନ ପରାଜମ୍ପେ ଏବଂ ସୁଲକ୍ଷଣା ନାୟକଙ୍କ କ୍ରିକେଟ୍ ପରାମର୍ଶଦାତା କମିଟି(ସିଏସି) ଅଜିତ ଅଗରକରଙ୍କ ନାମରେ ମୋହର ମାରିଛନ୍ତି। ଚୟନକର୍ତ୍ତା କମିଟିର ଅନ୍ୟ ସଦସ୍ୟ ହେଲେ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲ ଏବଂ ଶ୍ରୀଧରନ ଶରଥ।
ସୂଚନାଯୋଗ୍ୟ, ଅଗରକର ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫର ସଦସ୍ୟ ଥିଲେ। ସେ ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସହିତ ସହାୟକ ବୋଲିଂ କୋଚ୍ ଭାବେ କାମ କରୁଥିଲେ। ଅଗରକର ୨୦୨୧ରେ ମଧ୍ୟ ଚୟନକର୍ତ୍ତା ପଦ ପାଇଁ ସାକ୍ଷାତକାର ଦେଇଥିଲେ। ସେତେବେଳେ ଉତ୍ତର ଜୋନରୁ ଚେତନ ଶର୍ମା ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ହୋଇଥିଲେ। ଦିବଙ୍ଗତ ରମାକାନ୍ତ ଆଚରେକରଙ୍କ ଶିଷ୍ୟ ରହିଥିବା ୪୫ ବର୍ଷୀୟ ଅଗରକର ୧୯୧ଟି ଦିନିକିଆରୁ ୨୮୮ ଓ୍ଵିକେଟ୍, ୨୬ଟି ଟେଷ୍ଟରୁ ୫୮ ଓ୍ଵିକେଟ୍ ଏବଂ ୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ୩ଟି ଓ୍ଵିକେଟ୍ ନେଇଛନ୍ତି।
ଅଧିକ ପଢନ୍ତୁ- ଷ୍ଟିଙ୍ଗ୍ ଅପରେସନ ପରେ ଚେତନ ଶର୍ମାଙ୍କ ଇସ୍ତଫା, ଥିଲେ ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ ଚୟନକର୍ତ୍ତା
ସେ ୧୯୯୮ରୁ ୨୦୦୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ। ସେ ୩୪୯ ଅନ୍ତର୍ଜାତୀୟ ଓ୍ଵିକେଟ୍ ନେବା ସହ ୧୮୫୫ ରନ କରିଛନ୍ତି। ତାଙ୍କ ନାମରେ ଗୋଟିଏ ଟେଷ୍ଟ ଶତକ ରହିଛି। ସେ ୨୦୦୭ରେ ଟି-୨୦ ବିଶ୍ଵକପ ବିଜେତା ଦଳର ସଦସ୍ୟ ଥିଲେ। ସେ ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଭାରତୀୟ କ୍ରିକେଟର। ସେ ୨୦୦୦ରେ ଜିମ୍ବାଓ୍ଵେ ବିପକ୍ଷରେ ୨୧ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହା ଏହି ରେକର୍ଡ ଏ ପର୍ଯ୍ୟନ୍ତ କାଏମ ରହିଛି।
ଏହି ପୂର୍ବତନ ଅଲରାଉଣ୍ଡର ୧୧୦ ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଏବଂ ୬୨ ଘରୋଇ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅଗରକର ସିନିୟର ମୁମ୍ବାଇ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ମଧ୍ୟ ରହି ସାରିଛନ୍ତି।