ମୁଖ୍ୟ ଚୟନକର୍ତ୍ତା ରେସ୍ରେ ଅଜିତ ଅଗରକର, ଖୁବଶୀଘ୍ର ହୋଇପାରେ ଘୋଷଣା
27/06/2023 at 11:09 AM

ମୁମ୍ବାଇ ୨୭।୦୬ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍ । ପ୍ରସ୍ତୁତି ଜୋରଦାର । ହେଲେ ଏବେ ଯାଏଁ ଖାଲି ପଡିଛି ଭାରତୀୟ ସିନିୟର ଦଳର ମୁଖ୍ୟ ଚୟନକର୍ତ୍ତା ପଦବୀ । ଚେତନ ଶର୍ମାଙ୍କ ପରେ ଶିବସୁନ୍ଦର ଦାସଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଚୟନକମିଟିର ମୁଖ୍ୟ ପଦବୀ ନେଇ ଅନେକ ନାଁ ଚର୍ଚ୍ଚା ହେଉଛି । କେତେବେଳେ ବିରେନ୍ଦ୍ର ସେହଓ୍ୱାଗ ତ ଆଉ କେତେବେଳେ ଗୌତମ ଗମ୍ଭୀର, ଜାହିର ଖାନ୍, ଯୁବରାଜ ସିଂହ, ହରଭଜନ ସିଂହ ରହିଛି । କିନ୍ତୁ ଏବେ ଆଉ ଜଣେ ପୂର୍ବତନ ଖେଳାଳିଙ୍କ ନାଁ ମୁଖ୍ୟ ଚୟନକର୍ତ୍ତା ଦୌଡରେ ସାମିଲ ହୋଇଛି । ଆସନ୍ତୁ ଜାଣିବ କିଏ ସେହି ଖେଳାଳି …
ଭାରତୀୟ ସିନିୟର କ୍ରିକେଟ ଟିମ୍ ଚୟନକର୍ତ୍ତା ପାଇଁ ଅଜିତ ଅଗରକରଙ୍କ ନାଁ ଏବେ ଚର୍ଚ୍ଚାକୁ ଆସୁଛି । କିଛି ଦିନ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ପାଇଁ ବିରେନ୍ଦ୍ର ସେହଓ୍ୱାଗଙ୍କ ନାଁରେ ଆଗରେ ଥିବା ବେଳେ ଏବେ ଅଜିତ ଅଗରକରଙ୍କ ନାମ ମଧ୍ୟ ରେସ୍କୁ ଆସିଛି । କିନ୍ତୁ ଏବେ ଯାଏଁ ବିସିସିଆଇ କି ଅଜିତ ଅଗରକର ଏନେଇ ମୁହଁ ଖୋଲିନାହାନ୍ତି । ଦେଖାଯାଉ ଆଗାମୀ ଦିନରେ କିଏ ସମ୍ଭାଳୁଛି ମୁଖ୍ୟ ଚୟନକର୍ତ୍ତା ପଦବୀ ।
ଭାରତୀୟ ଟିମ୍ର ଜଣେ ଦକ୍ଷ ଅଲ୍ରାଉଣ୍ଡରେ ଭାବେ ବେଶ୍ ଜଣାଶୁଣା ଥିଲେ ଅଜିତ ଅଗରକର । ଭାରତୀୟ ଟିମ୍ ପାଇଁ ୨୬ଟି ଟେଷ୍ଟ ମ୍ୟାଚ୍ ଖେଳାଥିବା ବେଳେ ୫୭୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୫୮ଟି ଓ୍ୱିକେଟ୍ ନେଇଛନ୍ତି । ସେହିପରି ୧୯୧ଟି ଦିନିକିଆ ମ୍ୟାଚ୍ ଖେଳି୧୨୬୯ ରନ୍ ସଂଗ୍ରହ କରିଥିଲେ ବେଳେ ୨୮୮ଟି ଓ୍ୱିକେଟ୍ ନେଇଛନ୍ତି । ବାକି ୪ଟି ଟି-୨୦ ମ୍ୟାଚ୍ ଖେଳି ୩ଟି ଓ୍ୱିକେଟ୍ ନେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବିସିସିଆଇ ସିଲେକ୍ସନ କମିଟିର ଅଧ୍ୟକ୍ଷକଙ୍କୁ ବାର୍ଷିକ ୧ କୋଟି ଦିଆଯାଉଥିବା ବେଳେ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଲେଖାଏଁ ପାରିଶ୍ରମିକ ଦେଉଛି । ହୁଏତ ଆଗାମୀ ଦିନରେ ବିସିସିଆଇ ଏହି ଅର୍ଥ ରାଶିରେ ବୃଦ୍ଧି କରିପାରେ।