ଅଜିତ୍ ଅଗରକର ହୋଇ ପାରନ୍ତି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା, ମିଳିଲା ବଡ଼ ସଙ୍କେତ
29/06/2023 at 11:29 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ପଦ ଖାଲି ପଡ଼ିଛି। ଏଥିପାଇଁ ବିସିସିଆଇ ଆବେଦନ ମଗାଇଛି। ଏହାର ଅନ୍ତିମ ତାରିଖ ଜୁନ ୩୦ ରହିଛି। ଏହା ପରେ ଜୁଲାଇ ୧ରେ ସାକ୍ଷାତକାର ପରେ ନୂତନ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରାଯାଇପାରେ। ଏହି ପଦ ପାଇଁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ୍ ଅଗରକରଙ୍କ ଦୌଡ଼ରେ ସର୍ବାଗ୍ରେ ରହିଛି।
ମାତ୍ର ଏହା ମଧ୍ୟରେ ଏକ ଟୁଇଟ୍ ସାମ୍ନାକୁ ଆସିଛି, ଯେଉଁଥିରେ ଅଜିତ୍ ଅଗରକର ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ହେବାର ବଡ଼ ସଙ୍କେତ ମିଳିଛି। ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟୁଇଟ୍ କରି ସୂଚନା ଦେଇଛି ଯେ, ଅଗରକର ଦିଲ୍ଲୀ ଦଳରୁ ଇସ୍ତଫା ଦେଇ ସାରିଛନ୍ତି।

ଅଗରକର ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫର ସଦସ୍ୟ ଥିଲେ। ସେ ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସହିତ ସହାୟକ ବୋଲିଂ କୋଚ୍ ଭାବେ କାମ କରୁଥିଲେ। ଦିଲ୍ଲୀ ଫ୍ରାଞ୍ଚାଇଜି ଜଣାଇଛି ଯେ, ଅଗରକରଙ୍କ ସହିତ ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ସେନ ଓ୍ଵାଟସନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଓ୍ଵାଟସନଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ଏହା ଜଣା ପଡ଼ିନାହିଁ।
ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ଚୟନ ପରେ ଭାରତୀୟ ପୁରୁଷ ଦଳ ପାଇଁ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ କରିବାର ସମ୍ଭାବନା ରହିଛି। କାରଣ ଏହି ପଦ ଚେତନ ଶର୍ମାଙ୍କୁ ବାହାର କରାଯିବା ପରେ ଫେବୃଆରୀ ମାସରୁ ଖାଲି ପଡ଼ିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଜିତ୍ ଅଗକର ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଅଶୋକ ମାଲହୋତ୍ରା, ଜତିନ ପରାଜମ୍ପେ ଏବଂ ସୁଲକ୍ଷଣା ନାୟକଙ୍କ କ୍ରିକେଟ୍ ପରାମର୍ଶଦାତା କମିଟି(ସିଏସି) ମୁମ୍ବାଇରେ ସାକ୍ଷାତକାର ନେବେ।
You’ll always have a place to call home here 💙
— Delhi Capitals (@DelhiCapitals) June 29, 2023
Thank You, Ajit and Watto, for your contributions. All the very best for your future endeavours 🙌#YehHaiNayiDilli pic.twitter.com/n25thJeB5B
ଅଗରକରଙ୍କ ନାମ ଦୌଡ଼ରେ ଥିବାରୁ ବିସିସିଆଇଙ୍କୁ ଚୟନ କମିଟିଙ୍କ ପ୍ରମୁଖଙ୍କ ବାର୍ଷିକ ବେତନ ୧ କୋଟିରୁ ଅଧିକ ଏବଂ ବାକି ସଦସ୍ୟଙ୍କ ବେତନ ମଧ୍ୟ ୯୦ ଲକ୍ଷରୁ ଅଧିକ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍ ତଥା ଭାଷ୍ୟକାର ଅଗରକର ମୁଖ୍ୟ ଚୟନକର୍ତ୍ତାଙ୍କ ବାର୍ଷିକ ପ୍ୟାକେଜ୍ଠୁ ଅଧିକ ଆୟ କରନ୍ତି। ଏହି କାରଣରୁ ବିସିସିଆଇକୁ ବର୍ତ୍ତମାନ ବେତନର ସମୀକ୍ଷା କରିବାକୁ ପଡ଼ିବ।
ଅଗରକର ୨୦୨୧ରେ ମଧ୍ୟ ଚୟନକର୍ତ୍ତା ପଦ ପାଇଁ ସାକ୍ଷାତକାର ଦେଇ ସାରିଛନ୍ତି, ଯେତେବେଳେ ଉତ୍ତର ଜୋନରୁ ଚେତନ ଶର୍ମା କମିଟିର ଅଧ୍ୟକ୍ଷ ହୋଇଥିଲେ। ଦିବଙ୍ଗତ ରମାକାନ୍ତ ଆଚରେକରଙ୍କ ଶିଷ୍ୟ ରହିଥିବା ୪୫ ବର୍ଷୀୟ ଅଗରକର ୧୯୧ଟି ଦିନିକିଆ, ୨୬ଟି ଟେଷ୍ଟ ଏବଂ ୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି।