ବିସିସିଆଇ କେନ୍ଦ୍ରୀୟ ଅନୁବନ୍ଧ ତାଲିକାରୁ ବାଦ୍ ପଡି ପାରନ୍ତି ଆଜିଙ୍କ୍ୟ ରାହାଣେ ଏବଂ ଇଶାନ୍ତ ଶର୍ମା

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ କେନ୍ଦ୍ରୀୟ ଚୁକ୍ତିର ଚୂଡାନ୍ତ ତାଲିକାରୁ ପୂର୍ବତନ ଟେଷ୍ଟ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଏବଂ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ନାଁ କଟିପାରେ। ଡିସେମ୍ବର ୨୧ରେ ବିସିସିଆଇର କାଉନସିଲ ବୈଠକ ହେବାକୁ ଯାଉଛି। ଏହି ବୈଠକରେ କେନ୍ଦ୍ରୀୟ ଚୁକ୍ତିକୁ ନେଇ ବଡ ନିଷ୍ପତ୍ତି ନିଆଯାଇପାରେ। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲ୍‌ଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ପଦୋନ୍ନତି ମିଳିପାରେ।

ଭବିଷ୍ୟତର ଟି-୨୦ ଦଳର ଅଧିନାୟକ କୁହାଯାଉଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗ୍ରୁପ ସିରୁ ଗ୍ରୁପ୍ ବିରେ ପଦୋନ୍ନତି କରାଯିବାର ସମ୍ଭାବନା ରହିଛି। ବୈଠକର ଏଜେଣ୍ଡାରେ ୧୨ ପ୍ରସଙ୍ଗ ସାମିଲ୍। ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ। ତେବେ ବୈଠକର ଏଜେଣ୍ଡାରେ ଭାରତୀୟ କ୍ରିକେଟ୍ ଦଳର ଟି-୨୦ ବିଶ୍ଵ କପ୍ ଏବଂ ବାଂଲାଦେଶ ଦିନିକିଆ ପ୍ରଦର୍ଶନର ସମୀକ୍ଷା ଅଂଶ ବିଶେଷ ନୁହେଁ। ଯଦି ଅଧ୍ୟକ୍ଷ ଉଚିତ୍ ମଣିବେ ତେବେ ଅଣତାଲିକାଭୁକ୍ତ ପ୍ରସଙ୍ଗ ଉପରେ ବିଚାର କରିପାରନ୍ତି।

ବୈଠକରେ ମୁଖ୍ୟ ପ୍ରସଙ୍ଗ ବରିଷ୍ଠ ପୁରୁଷ ଏବଂ ମହିଳା ଦଳ ପାଇଁ ରିଟେନରସିପ ଅନୁବନ୍ଧ ଉପରେ ଆଲୋଚନା କରାଯିବା ରହିଛି। ଭାରତୀୟ ଦଳରେ ସ୍ଥାନ ପାଇବା ଦୌଡରୁ ବାଦ୍ ପଡିଥିବା ପୂର୍ବତନ ଅଧିନାୟକ ରାହାଣେ ଏବଂ ଦ୍ରୁତ ବୋଲର ଇଶାନ୍ତ ଶର୍ମା କେନ୍ଦ୍ରୀୟ ଅନୁବନ୍ଧରୁ ବାଦ୍ ପଡିବା  ପ୍ରାୟତଃ ସ୍ପଷ୍ଟ। ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଦ୍ଧିମାନ ଶାହଙ୍କୁ ମଧ୍ୟ ତାଲିକାରୁ ବାଦ୍ ଦିଆଯାଇଛି।

ବିସିସିଆଇ ଚାରୋଟି ବର୍ଗରେ ଖେଳାଳିଙ୍କୁ କେନ୍ଦ୍ରୀୟ ଅନୁବନ୍ଧ ପ୍ରଦାନ କରିଥାଏ। ଏଥିରେ ଏ ପ୍ଲସ୍(ବାର୍ଷିକ ସାତ କୋଟି), ଗ୍ରୁପ ଏ(ବାର୍ଷିକ ପାଞ୍ଚ କୋଟି), ଗ୍ରୁପ ବି(ବାର୍ଷିକ ୩ କୋଟି) ଏବଂ ଗ୍ରୁପ୍ ସି(ଏକ କୋଟି ବାର୍ଷିକ) ସାମିଲ୍। ବିସିସିଆଇ ଖେଳାଳିଙ୍କୁ ଅନ୍ତର୍ଜାତୀୟ ପ୍ରଦର୍ଶନ ବ୍ୟତୀତ ଅନେକ ମାନଦଣ୍ଡକୁ ଦେଖି କଣ୍ଟ୍ରାକ୍ଟରେ ସାମିଲ୍ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.