ବନ୍ୟା ପରେ ସାପ ଆତଙ୍କ : ଭୋଗରାଇ ଅଞ୍ଚଳରୁ ଉଦ୍ଧାର ହେଲେଣି ୪ ଅଜଗର

Published By : Prameya-News7 Bureau | September 11, 2022 IST

ଭୋଗରାଇ, ୧୧|୦୯:  ଗତ ୧୨ ଦିନ ମଧ୍ୟରେ ଭୋଗରାଇରୁ ଉଦ୍ଧାର ହେଲେଣି  ୪ଟି  ବିରଳ ପ୍ରଜାତିର ଅଜଗର। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ। ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି କମିବା ପରେ ବିଭିନ୍ନ ବିଷଧର ସର୍ପ ଦେଖିବାକୁ ମିଳିଥିଲା ବେଳେ ଏବେ ୭ଫୁଟରୁ ଅଧିକ ୪ଟି ଅଜଗର ସାପ ଭୋଗରାଇ ଅଞ୍ଚଳରୁ ଉଦ୍ଧାର କରିଛି ବନ ବିଭାଗ।

ରବିବାର ଭୋଗରାଇ ବ୍ଲକ କୁମ୍ଭାରମୁଳି ପଞ୍ଚାୟତ ଅଧିନସ୍ଥ ବନ୍ଧମୁଣ୍ଡି ଗାଁରୁ ୧୦ ଫୁଟ୍ ଲମ୍ବର ଆଉ ଏକ  ଅଜଗର ସାପକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କାଯାଇଛି । ଗ୍ରାମର ଆନୁଆ ଗିରିଙ୍କ ଜାଲରେ ସାପଟି ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଗତ ସେପ୍ଟେମ୍ବର ୮ ତାରିଖ ଦିନ ଶଙ୍ଖାରୀ ପଞ୍ଚାୟତର ନାଫରାଇ ଗ୍ରାମର ଗୋପାଳ ଦିଣ୍ଡାଙ୍କ ଘର ବାଡ଼ିରେ ଥିବା ଜାଲରେ ୬ ଫୁଟର ଅଜଗର ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଥିଲା।

ସେହିପରି  ଗତ ଅଗଷ୍ଟ ୩୧ ତାରିଖ ଦିନ ନିମାତପୁର ପଞ୍ଚାୟତର କାଉବଣୀ ଗ୍ରାମର ଆଶୁତୋଷ ପଣ୍ଡାଙ୍କ ପୋଖରୀରେ ଥିବା ଜାଲରେ ୮ ଫୁଟର ଅଜଗର ଛନ୍ଦି ହେଇଥିଲା ବେଳେ ଗାଁ ଲୋକମାନେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଠିକ ତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୩୦ ତାରିଖ ଦିନ  କୁମ୍ଭାରମୂଳୀ ପଞ୍ଚାୟତର ହାଣ୍ଡିପଡା ଗ୍ରାମର ନାରାୟଣ ଜେନାଙ୍କ ଘର ଭିତରୁ ବିଳମ୍ବିତ ରାତିରେ ୯ ଫୁଟରୁ ଅଧିକ ଲମ୍ବର ଅଜଗରକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । ତେବେ ଏଭଳି ପ୍ରଜାତିର ସାପ ଏ ଅଞ୍ଚଳର ଖୁବ କମ ଦେଖିବାକୁ ମିଳୁଥିଲା ବେଳେ ବନ୍ୟା ଛାଡିବା ପରେ ୪ଟି ଅଜଗର ଉଦ୍ଧାର କରାଯିବା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.