ନୂଆଦିଲ୍ଲୀ ୨୯।୯: ଏଆର ଇଣ୍ଡିଆ ଏକ୍ସପ୍ରେସ୍ (ଏଆଇଏକ୍ସ) ଓ ଏଆଇଏକ୍ସ କନେକ୍ଟ (ଏୟାର ଏସିୟା ଇଣ୍ଡିଆ) ଖୁବ୍ ଶୀଘ୍ର ଏକାଠି ବିଲୟ ହେବାକୁ ଯାଉଛି। ଏହା ସହିତ ଏଆଇଏକ୍ସ କନେକ୍ଟର ଉଡାଣ କୋଡ ‘୧୫’ ଆଗାମୀ ସପ୍ତାହରୁ ଇତିହାସ ପାଲଟିବ। ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏହି ବିଲୟ ପ୍ରକ୍ରିୟା ପାଖାପାଖି ୧ ବର୍ଷ ହେଲା ଚାଲିଥିଲା ଓ ଏବେ ଯୋଜନା ଅନୁସାରେ ସବୁକିଛି ସଠିକ ଅଛି। ଏହା ସହିତ ଏଆଇଏକ୍ସ କନେକ୍ଟ ଯାହା ଗତ ୧୧ ବର୍ଷ ହେଲା ସେବା ଦେଇ ଆସୁଥିଲା ତାହା ଆସନ୍ତା ସପ୍ତାହରୁ ବନ୍ଦ ହୋଇଯିବ।
ଏଆଇଏକ୍ସ କନେକ୍ଟର ସବୁ ବିମାନ ଯାହା ଏଓସିରେ ପଞ୍ଜିକୃତ ଥିଲେ ଏବେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏଓସିରେ ସାମିଲ ହୋଇଯିବେ। ଏହି ଆଇନଗତ ବିଲୟ ଅକ୍ଟୋବର ପ୍ରଥମ ସପ୍ତାହରେ ହେବ। ବର୍ତ୍ତମାନ ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଏଆଇଏକ୍ସ କେନେକ୍ଟ ମିଳିତ ଦୈନିକ ୪୦୦ ଉଡାଣ ସଞ୍ଚାଳନ କରୁଛନ୍ତି। ସେମାନଙ୍କର ମୋଟ ୮୮ଟି ବିମାନ ଥିବା ବେଳେ ଏଥିରୁ ୬୧ଟି ବୋଇଂ ୭୩୭ ଓ ୨୭ଟି ଏୟାରବସ୍ ଏ-୩୨୦ ରହିଛି। ବିଲୟ ପରେ କମ୍ପାନୀ ଭବିଷ୍ୟତରେ ତାଙ୍କର ପରିଚାଳନାକୁ ଆହୁରି ସମ୍ପ୍ରସାରିତ କରିବେ।
ଅଧିକାରୀଙ୍କ ଅନୁସାରେ ଆଇନଗତ ବିଲୟ ପରେ ଏଆଇଏକ୍ସ କନେକ୍ଟର ସମସ୍ତ ଉଡାଣ ଏବେ ଏୟାର ଇଣ୍ଡିଆ ଏକ୍ସପ୍ରେସର ନୂଆ କୋଡ ‘ଆଇଏକ୍ସ’ ସହିତ ଚାଲିବ। ଫଳରେ ଉଡାଣ କୋଡ ‘ଫିପଟିନ’ ସମାପ୍ତ ହୋଇଯିବ। ଏହା ଛଡା ଅଧିକାରୀମାନେ ଏହି ସୂଚନା ବି ଦେଇଛନ୍ତି ଯେ ଟାଟା ସମୂହର ଅନ୍ୟ ଦୁଇ ଏୟାରଲାଇନ୍ସ ଭିସ୍ତାରା ଓ ଏୟାରଇଣ୍ଡିଆ ବିଲୟ ଚଳିତବର୍ଷ ନଭେମ୍ବର ମାସରେ ହେବ।