ପରାମର୍ଶ କିଏ ଦେଉଛି, ଯେତେବେଳେ ମୁଁ ଦେଖେ…ରାହୁଲ ଗାନ୍ଧୀଙ୍କୁ ପାଲଟା ଜବାବ ଦେଲେ ବିଦେଶ ମନ୍ତ୍ରୀ
19/12/2022 at 5:57 PM

ନୂଆଦିଲ୍ଲୀ: ଚୀନ ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦେଇଥିବା ପରାମର୍ଶ ଉପରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ପାଲଟା ଜବାବ ଦେଇଛନ୍ତି । ସୋମବାର ଲୋକସଭାରେ ସେ କହିଛନ୍ତି ଯେ ରାଜନୈତିକ ଆଲୋଚନା ନେଇ ଆମକୁ କୌଣସି ସମସ୍ୟା ନାହିଁ, କିନ୍ତୁ ଆମ ଯବାନଙ୍କ ଅପମାନ ନକରାଯିବା ଦରକାର । ବିଦେଶ ମନ୍ତ୍ରୀ କହିଥିଲେ, ମୁଁ ଯେତେବେଳେ ଦେଖେ କିଏ ପରାମର୍ଶ ଦେଉଛି, ସେତେବେଳେ ମୁଁ କେବଳ ସମ୍ମାନ କରିପାରିବି। ଯବାନଙ୍କ ପାଇଁ ମାଡଖାଇବା ଶବ୍ଦ ବ୍ୟବହାର ନକରାଯିବା ଦରକାର ।
ବିଦେଶ ମନ୍ତ୍ରୀ ଲୋକସଭାରେ କହିଛନ୍ତି, ‘ଆମେ ପରୋକ୍ଷ କିମ୍ୱା ପ୍ରତ୍ୟେକ୍ଷ ଭାବରେ ଆମ ଯବାନଙ୍କ ଆଲୋଚନା ନକରିବା ଦରକାର । ଆମ ଯବାନ ୟାଙ୍ଗସେରେ ୧୩ ହଜାର ଫୁଟ୍ ଉଚ୍ଚରେ ରହି ସୀମାର ସୁରକ୍ଷା କରୁଛନ୍ତି । ସେମାନଙ୍କୁ ସମ୍ମାନ ଏବଂ ପ୍ରଶାଂସା କରାଯିବା ଦରକାର । ଯଦି ଆମ ଚୀନ ପ୍ରତି ଉଦାସୀନ ଥିଲୁ ତେବେ ଭାରତୀୟ ସେନାକୁ ସୀମାକୁ କିଏ ପଠାଇଲା । ଯଦି ଆମେ ଚୀନକୁ ନେଇ ଉଦାସୀନ ତେବେ ସନ୍ୟ-ଅପସାରଣ ଏବଂ ଡିସଏଙ୍ଗେଜମେଣ୍ଟକୁ କାହିଁକି ଚାପ ପକାଉଛୁ ? ଆମେ ସାର୍ବଜନୀନ ରୂପେ କାହିଁକି କହୁଛୁ ଯେ ଆମ ସମ୍ପର୍କ ଭଲ ନାହିଁ’।
ଅରୁଣାଚଳର ତୱାଙ୍ଗରେ ଡିସେମ୍ୱର ୯ରେ ଭାରତ ଏବଂ ଚୀନ ସେନା ମଧ୍ୟରେ ସଂଘର୍ଷକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଦେଶ ମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ସେ କେବଳ ଟିପ୍ପଣୀ କରୁଛନ୍ତି, କିନ୍ତୁ ତାଙ୍କ ଜ୍ଞାନକୁ ଅଧିକ ଗଭୀର କରିବା ଦରକାର ।