ଗାନ୍ଧୀନଗର, ୧୬|୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜୁରାଟର ଗାନ୍ଧୀନଗରରେ ଏକ ନୂଆ ରେଳ ଷ୍ଟେସନର ଉଦଘାଟନ କରିବେ । ଏହା ଦେଶର ପ୍ରଥମ ପୁନଃବିକଶିତ ରେଳଷ୍ଟେସନ ହେବ । ଏଠାରେ ଯାତ୍ରୀଙ୍କୁ ବିମାନବନ୍ଦର ଭଳି ସୁବିଧା ମିଳିବ ।ଅପରାହ୍ନ ୪ଟାରେ ଏହାର ଶୁଭ ଉଦଘାଟନ ହେବ ।
ଏହି ଷ୍ଟେସନର ବିଲ୍ଡିଂର ଉପର ମହଲାରେ ଏକ ପଞ୍ଚ ତାରକା ହୋଟେଲର ମଧ୍ୟ ଶୁଭାରମ୍ଭ କରିବେ ମୋଦୀ । ଏହି ପଞ୍ଚତାରକା ହୋଟେଲ ୨୫୦ ଫୁଟ୍ ଉଚ୍ଚ ଅଟେ । ଏହା ୭୪୦୦ ବର୍ଗ ମିଟର ପରିବ୍ୟାପ୍ତ । ଏଥିରେ ୩୧୮ଟି କୋଠରୀ ରହିଛି । ଏଥିପାଇଁ ପ୍ରାୟ ୭୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୁଜୁରାଟ ସରକାରଙ୍କ ପକ୍ଷରୁ ମୋଦୀଙ୍କ କାର୍ଯ୍ୟକ୍ରମ ନେଇ ସମସ୍ତ ସୂଚନା ଦିଆଯାଇଛି ।
ପିଟିଆଇ ଖବର ଅନୁସାରେ, ରେଳ ଷ୍ଟେସନରେ କେବଳ ପଞ୍ଚ ତାରକା ହୋଟେଲ ହେବ ନାହିଁ ବରଂ ସପିଂ ମଲ୍ ଓ ମଲ୍ଟିପ୍ଲେକ୍ସ ମଧ୍ୟ ନିର୍ମାଣ କରାଯିବ । ଏଥିରେ ଫୁଡ୍ କୋର୍ଟ ମଧ୍ୟ ରହିବ । ଯାହାକୁ ପିପିପି ମୋଡ୍ରେ ଚଲାଯିବ । ଏହି ସ୍ମାର୍ଟ ରେଳଷ୍ଟେସନରେ ଦୁଇଟି ଏକ୍ସଲେଟର, ତିନୋଟି ଲିଫ୍ଟ ଓ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଦୁଇଟି ଅଣ୍ଡର ଗ୍ରାଉଣ୍ଡ ସବ୍ ଓ୍ୱେ ରହିଛି । ଏଥିରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି । ପାର୍କିଂ ସ୍ପେସ୍ ମଧ୍ୟ ବହୁତ ବଡ ଅଟେ ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାଇନ୍ସ ସିଟିରେ ଏକ ନେଚର୍ ପାର୍କ, ରୋବୋଟିକ୍ ଗ୍ୟାଲେରୀ ଓ ଆକ୍ୱାଟିକ୍ ପାର୍କକୁ ମଧ୍ୟ ଉଦଘାଟନ କରିବେ । ସାଇନ୍ସ ସିଟିରେ ୨୬୦ କୋଟିରେ ନିର୍ମିତ ଆକ୍ୱାଟିକ୍ ଗ୍ୟାଲେରୀ ଦେଶର ସବୁଠାରୁ ବଡ ଆକ୍ୱାରିୟମ ହେବ । ଏଠାରେ ସାରା ବିଶ୍ୱର ୧୧୬୦୦ ମାଛ ଓ ଅନ୍ୟଜୀବ ଜନ୍ତୁଙ୍କୁ ଦେଖିବାକୁ ମିଳିବ ।