'ତମେ ଆତ୍ମଘାତୀ ଆକ୍ରମଣକାରୀ' : ହ୍ୱାଟସଆପ୍ ଚାଟ୍‌କୁ ନେଇ ଆତଙ୍କ, ଅଟକିଲା ବିମାନ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ,୧୫/୮ :  ହ୍ୱାଟସଆପ୍ ମେସେଜକୁ ନେଇ ଆତଙ୍କ । ଅଟକିଲା ବିମାନ । ଏପରି ଘଟଣା ଘଟିଛି ମାଙ୍ଗାଲୋର ବିମାନ ବନ୍ଦରରେ । ଜଣେ ପୁରୁଷ ଓ ମହିଳାଙ୍କ ମେସେଜ୍ ଚାଟ୍ ବିମାନକୁ ଅଟକାଇବାକୁ ବାଧ୍ୟ କରିଛି । ଉଭୟ ବ୍ୟକ୍ତି ଓ ମହିଳାଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ, ବ୍ୟକ୍ତିଜଣଙ୍କ ମାଙ୍ଗାଲୋରରୁ ମୁମ୍ବାଇ ଯାଉଥିବା ବେଳେ ମହିଳା ବେଙ୍ଗାଲୁରୁ ଯାଇଥାନ୍ତେ । ଉଭୟ ବିମାନରେ ବସିଥିବା ବେଳେ ବ୍ୟକ୍ତିଙ୍କୁ ମହିଳା ଜଣଙ୍କ ଆପଣ ଆତ୍ମଘାତୀ ଆକ୍ରମଣକାରୀ କି ବୋଲି ପଚାରିଥିଲେ । ଏହାସହ ବିମାନ ବନ୍ଦର ସୁରକ୍ଷାକୁ ନେଇ କଥା ହୋଇଥିଲେ । ପାଖରେ ଥିବା କିଛି ସହଯାତ୍ରୀ ଏନେଇ ପ୍ରଥମେ ପାଇଲଟ୍ ଓ ଏୟାରହୋଷ୍ଟେସ ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ ।

ଏହାପରେ ତୁରନ୍ତ ବିମାନବନ୍ଦରର କର୍ମଚାରୀ ଯାତ୍ରୀଙ୍କୁ ଓହ୍ଲାଇ ତନାଘନା ଆରମ୍ଭ କରିଥିଲେ ।ଏହାସହ ବିମାନଟିକୁ ଯାଞ୍ଚ୍ କରାଯାଇଥିଲା । ଏହି ଘଟଣା ସହ ଉଭୟ ବ୍ୟକ୍ତି ଓ ମହିଳାଙ୍କୁ ଅଟକ ରଖାଯାଇଥିଲା । ତେବେ ସେମାନେ ମଜାରେ ଏପରି ଚାଟ୍ କରୁଥିବା ପ୍ରକାଶ କରିଥିଲେ । ଶେଷରେ ୬ ଘଣ୍ଟାର ବିଳମ୍ବରେ ବିମାନଟି ମାଙ୍ଗାଲୋର ଛାଡିଥିଲା ।

ସୂଚନାଯୋଗ୍ୟ, ଉଭୟ ବ୍ୟକ୍ତି ଓ ମହିଳାଜଣଙ୍କ ଉତ୍ତରପ୍ରଦେଶର ଗୋରଖପୁରର ଅଟନ୍ତି । ବ୍ୟକ୍ତିଜଣଙ୍କ କୌଣସି ଏକ କମ୍ପାନୀରେ ଯୋଗ ଦେବାକୁ ମୁମ୍ବାଇ ଯାଉଥିଲେ । ମହିଳାଜଣଙ୍କ ବାଙ୍ଗାଲୋରର ଏକ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପାଇଁ ଗସ୍ତ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.