ନୂଆଦିଲ୍ଲୀ: ବିମାନ ସେବା କ୍ଷେତ୍ରରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ଏ ନେଇ ଶକ୍ତ ହୋଇଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଭୁଲ୍ କରୁଥିବା ବିମାନ କମ୍ପାନୀ ଉପରେ ହେଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ନିକଟରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଲାଣି।
ସାମାନ୍ୟ ତ୍ରୁଟି ହେଲା ବେଳକୁ ଏୟାର ଇଣ୍ଡିଆ, ଭିସ୍ତାରା ଓ ଇଣ୍ଡିଗୋ ଆଦି ବିମାନ କମ୍ପାନୀଗୁଡ଼ିକ ଉପରେ ଲକ୍ଷ ଲକ୍ଷ ଟଙ୍କାର ଫାଇନ କରାଯାଉଛି। ଏବେ ଡିଜିସିଏ କ୍ରୋଧର ଶିକାର ହୋଇଛି ଏୟାର ଏସିଆ। ପାଇଲଟ ଟ୍ରେନିଂ ଆବଶ୍ୟକତା ନିୟମର ଉଲ୍ଲଂଘନ କରିଥିବାରୁ ଏୟାର ଏସିଆକୁ ୨୦ ଲକ୍ଷ ଟଙ୍କା ଫାଇନ କରାଯାଇଛି। ଏଥିସହିତ ଏୟାର ଏସିଆର ୮ ନିରିକ୍ଷକଙ୍କୁ ମଧ୍ୟ ୩ ଲକ୍ଷ ଲେଖାଏ ଫାଇନ ହୋଇଛି।
ଏନେଇ ଏୟାର ଏସିଆ ପକ୍ଷରୁ ସୂଚନା ଦେଇ କୁହାଯାଇଛି " ପାଇଲଟ ପ୍ରୋଫିସିଏନ୍ସି ଚେକ୍/ ଇନଷ୍ଟ୍ରୁମେଣ୍ଟ ରେଟିଂ ଚେକ୍ ସମୟରେ ପାଇଲଟଙ୍କ ପାଇଁ ବାଧ୍ୟତାମୁଳକ ଥିବା ଦକ୍ଷତା ତଦାରଖ ପକ୍ରିୟାକୁ କରାଯାଇ ନଥିବାରୁ ଡିଜିସିଏ ଏୟାର ଏସିଆକୁ ଫାଇନ କରିଛି।" ବେସାମରିକ ବିମାନ ଚଳାଚଳ ପାଇଁ ଆବଶ୍ୟକୀୟ ନିୟମ ଉଲ୍ଲଂଘରେ ୨୦ ଲକ୍ଷ ଫାଇନ କରାଯାଇଛି ବୋଲି କମ୍ପାନୀ ସୂଚନା ଦେଇଛି। କେବଳ ସେତିକି ନୁହେଁ ଏୟାରଲାଇନ୍ ଟ୍ରେନିଂ ମୁଖ୍ୟଙ୍କୁ ମଧ୍ୟ ୩ ମାସ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି।
ତେବେ ଏୟାର ଏସିଆକୁ ଦଣ୍ଡିତ କରାଯିବା ପୂର୍ବରୁ ବିମାନ ସେବାର ମ୍ୟାନେଜର, ପ୍ରିଶିକ୍ଷଣ ମୁଖ୍ୟ ଓ ସମସ୍ତ ଉତ୍ତରଦାୟୀ ପଦାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏୟାର ଏସିଆ ପକ୍ଷରୁ ଉତ୍ତର ମିଳିବା ପରେ ଏହା ଉପରେ ବିଚାର କରି କମ୍ପାନୀ ଉପରେ ୨୦ ଲକ୍ଷ ଫାଇନ କରିଛି ଡିଜିସିଏ।