ୟୁକ୍ରେନ୍‌ ଉପରେ ଋଷର ବଡ ଧରଣର ଏୟାର ଷ୍ଟ୍ରାଇକ୍‌: ୩୫ ଜଣଙ୍କ ମୃତ୍ୟୁ, ୧୩୪ରୁ ଉର୍ଦ୍ଧ୍ବ ଆହତ

Published By : Prameya-News7 Bureau | March 13, 2022 IST

ନୂଆଦିଲ୍ଲୀ ୧୩/୦୩: ୟୁକ୍ରେନ୍‌ ଉପରେ ବଡ ଧରଣର ଏୟାର ଷ୍ଟ୍ରାଇକ୍‌ କରିଛି ଋଷ ସେନା । ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୩୪ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ୟୁକ୍ରେନ୍‌ର ଲଓ୍ବିବ୍‌ର ଏକ ମିଲିଟାରୀ ବେସ୍‌କୁ ଟାର୍ଗେଟ୍‌ କରି ଏୟାର ଷ୍ଟ୍ରାଇକ୍‌ କରିଛି ଋଷିଆ ସେନା । ଗତ ୧୮ଦିନ ହେଲାଣି ୟୁକ୍ରେନ୍‌ ଉପରେ ଋଷ ସେନା ପକ୍ଷରୁ ଘନଘନ ଆକ୍ରମଣ ଜାରି ରହିଛି । ଦିନକୁ ଦିନ ଆକ୍ରମଣ ଜୋରଦାର ହେବାରେ ଲାଗିଛି ।

ନ୍ୟୁଜ୍‌ ଏଜେନ୍ସି ରୟଟର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍‌ର ଲଓ୍ବିବ୍‌ ନିକଟ ଏକ ମିଲିଟାରୀ ବେସ୍‌ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି । ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମୃତ ଦେହ ଗୁଡିକ ମଧ୍ୟ ଚିହ୍ନିବା ମୁସ୍କିଲ ହୋଇପଡିଛି । ଏହା ବ୍ୟତିତ ୧୩୪ରୁ ଉର୍ଦ୍ଧ୍ବ ଆହତ ମଧ୍ୟ ହୋଇଛନ୍ତି । ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରିଜନିକୋଭ ମଧ୍ୟ ଟ୍ବିଟ୍‌ କରି ଆକ୍ରମଣ ବାବଦରେ ସୂଚନା ଦେଇଛନ୍ତି । କହିଛନ୍ତି, ୟୁକ୍ରେନ୍‌ର ଲଓ୍ବିବ୍‌ରେ ଥିବା ଶାନ୍ତି ସ୍ଥାପନା ଏବଂ ସୁରକ୍ଷା ଅନ୍ତରାଷ୍ଟ୍ରୀୟ ଭବନ ଉପରେ ଆକ୍ରମଣ କରିଛି । ବିଶେଷ କରି ଅନ୍ୟ ଦେଶର ଟ୍ରେନର୍‌ମାନେ ଏଠାରେ କାମ କରନ୍ତି ।

ଋଷ କହିବା ମୁତାବକ, ଯୁଦ୍ଧ କ୍ଷେତ୍ରର ବାହାରେ ମାନବୀୟ କରିଡର ନିର୍ମାଣ କରାଯିବ । କିନ୍ତୁ ୟୁକ୍ରେନ ଅଧିକାରୀମାନେ ରୁଷ ଉପରେ ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇଥିବା ଅଭିଯୋଗ କରିଛନ୍ତି। ୟୁକ୍ରେନର ଉପ-ପ୍ରଧାନମନ୍ତ୍ରୀ ଇରିନା ଭେରେସ୍‌ଚୁକ୍‌ କହିଛନ୍ତି ଯେ, ୧୪ଟି କରିଡର ନିର୍ମାଣ ପାଇଁ ସହମତି ପ୍ରକାଶ ପାଇଛି କିନ୍ତୁ ଶନିବାର ଦିନ କେବଳ ୯ଟି କରିଡର ହିଁ ଖୋଲାଯାଇଛି । ଯାହା ଫଳରେ ୧୩ ହଜାର ଲୋକଙ୍କୁ ଦେଶରୁ ସ୍ଥାନାନ୍ତର କରାଯାଇପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.