ପୁରୀ ବେଳାଭୂମିରେ ହେବ ଏୟାର୍‌ ସୋ; ଦୁର୍ଦ୍ଧଶ କଳା କୌଶଳ ପ୍ରଦର୍ଶନ କରିବେ ବାୟୁସେନା ପାଇଲଟ୍‌

Published By : Prameya-News7 Bureau | September 09, 2022 IST

ପୁରୀ ୦୯/୦୯: ଚଳିତ ମାସ ୧୮ ତାରିଖରେରେ ପୁରୀରେ ହେବ ଏୟାର ସୋ। ରାଜଭବନ ପାଖରେ ଥିବା ବେଳାଭୂମିରେ ସେପ୍ଟେମ୍ୱର ୧୮ରେ ବାୟୁ ସେନା ପକ୍ଷରୁ ଏୟାର ସୋ ପ୍ରଦର୍ଶିତ ହେବ।‌ ବାୟୁ ସେନାର ପାଇଲଟମାନେ ଆକାଶ ମାର୍ଗରେ ସେଦିନ ବହୁ ଦୁର୍ଦ୍ଧଶ କଳା କୌଶଳ ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ସମ୍ପାଦନ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ। ପୁରୀରେ ପ୍ରଥମଥର ପାଇଁ ଏୟାର୍‌ ସୋ ଆୟୋଜନ କରାଯାଉଥିବାରୁ ସରକାର, ବାୟୁସେନାର ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀଙ୍କୁ ଜିଲ୍ଲାପାଳ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ପୁରୀର ଲୋକମାନେ ବେଳାଭୂମିରେ ଏହି ସୋ ଦେଖି ପାରିବେ ବୋଲି ସମର୍ଥ ବର୍ମା କହିଛନ୍ତି। ବିସ୍ତୃତ ଆଲୋଚନା ପରେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସୋ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର, ସ୍ୱାସ୍ଥ୍ୟ, ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଛି। ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱକୁ ନିଷ୍ଠାର ସହିତ ପାଳନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଡିଏଫଓ ରାମସାମୀ ପି, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସପି  ମିହିର ପ୍ରସାର ପଣ୍ଡାଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.