ଜାତୀୟ ସୁରକ୍ଷା ପରିଷଦର ସୈନ୍ୟ ପରାମର୍ଶଦାତା ହେଲେ ଏୟାର ମାର୍ଶଲ ସନ୍ଦୀପ ସିଂହ

Published By : Prameya-News7 Bureau | April 20, 2023 IST

ନୂଆଦିଲ୍ଲୀ, ୨୦/୦୪: ଭାରତୀୟ ବାୟୁ ସେନାର ପୂର୍ବତନ ଉପମୁଖ୍ୟ, ଏୟାର ମାର୍ଶଲ ସନ୍ଦୀପ ସିଂହଙ୍କୁ ଜାତୀୟ ସୁରକ୍ଷା ପରିଷଦ (NSCS)ର ନୂଆ ସୈନ୍ୟ ପରାମର୍ଶଦାତାର ଭାବରେ ନିଯୁକ୍ତ କରାଯାଇଛି। ସେ ଏପ୍ରିଲ୍‌ ୨୪ରେ ଦାୟିତ୍ବ ନେବେ। ସୂଚନାଥାଉ, ଏୟାର ମାର୍ଶଲ ସନ୍ଦୀପ ସିଂହ ଦୀର୍ଘ ଚାରି ଦଶନ୍ଧି ଧରି ସେନାରେ ସେବା ଯୋଗାଇ ଆସିଛନ୍ତି ଏବଂ ୩୧ ଜାନୁ‌ଆରୀ ୨୦୨୩​‌ରେ ଏୟାର ଷ୍ଟାଫ୍‌ ଉପମୁଖ୍ୟରୁ ଅବସର ନେଇଥିଲେ।

ଜାତୀୟ ସୁରକ୍ଷା ଏକାଡେମୀର ଏହି ପୂର୍ବତନ ଛାତ୍ର, ଆଇଏଏଫର ଫାଇଟର ପାଇଲଟ ଭାବରେ ଡିସେମ୍ବର ୧୯୮୩ରେ ନିଯୁକ୍ତ ହୋଇଥିଲେ। ସେ ଅନେକ ଲଢ଼ୁଆ ବିମାନ ଉଡ଼ାଇବାରେ ପାରଙ୍ଗମ। ୪,୯୦୦ ଘଣ୍ଟାରୁ ଅଧିକ ସମୟ ଧରି ଲଢ଼ୁଆ ବିମାନ ଉଡ଼ାଇଛନ୍ତି। Su-30 MKI, MiG-29, MiG-21, AN-32, Avro, Jaguar ଏବଂ Mirage 2000 ଭଳି ବିମାନ ଉଡ଼ାଇ ସେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଭାରତରେ Su-30 MKI ବିମାନକୁ ସାମିଲ୍‌ କରିବା, ଉତ୍ପାଦନ ଏବଂ ସଶସ୍ତ୍ର କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି।

ଏୟାର ମାର୍ଶଲ ସନ୍ଦୀପ ସିଂହ, ଜେନେରାଲ ଅନିଲ୍‌ ସିଂହ ଚୌହାନଙ୍କ ସ୍ଥାନ ନେବେ। ଗତ ସେପ୍ଟେମ୍ବର ୨୦୨୨ରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ ଭାବରେ ନିଯୁକ୍ତ କରାଯିବା ପୂର୍ବରୁ ଜେନେରାଲ ଅନିଲ୍‌ ସିଂହ ଚୌହାନ ଏନଏସସିଏସର ସୈନ୍ୟ ପରାମର୍ଶଦାତା ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.