ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ବିମାନ କମ୍ପାନି ଏୟାର ଇଣ୍ଡିଆ ବଡ଼ ନିଷ୍ପତ୍ତି ନେଇଛି। ଏୟାରଲାଇନ୍ସ ଭାରତ ଏବଂ ଇସ୍ରାଏଲ ମଧ୍ୟ ଯାଆସ କରୁଥିବା ଏହାର ବିମାନ ଉଡ଼ାଣକୁ ରଦ୍ଦ କରିଛି। ସୂଚନାଥାଉକି, ସିରିଆର ଇରାନ ଦୂତାବାସରେ ହୋଇଥିବା ଆକ୍ରମଣ ପରେ ଇରାନ ପ୍ରତିଆକ୍ରମଣ କରିବା ସହ ଇସ୍ରାଏଲ ଉପରେ ଡ୍ରୋନ ଏବଂ ମିସାଇଲରେ ଆକ୍ରମଣ କରିଛି। ଯାହା ପରେ ଉଭୟ ଦେଶଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି।
ସୂଚନାଥାଉକି, ପୂର୍ବରୁ ମଧ୍ୟ ସମ୍ଭାବନା ରହିଥିଲା ଯେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ତିକ୍ତତାର ପ୍ରଭାବ ବିମାନ ସେବା ଉପରେ ପଡ଼ିପାରେ। ବିମାନ ରଦ୍ଦ ହୋଇପାରେ। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ଉଡ଼ାଣ ବର୍ତ୍ତମାନ ରଦ୍ଦ ରହିବ। ସୂଚନାଥାଉକି, ଏୟାର ଇଣ୍ଡିଆ ଦ୍ବାରା ଦିଲ୍ଲୀରୁ ଇସ୍ରାଏଲ ପାଇଁ ସପ୍ତାହକୁ ଚାରିଥର ଉଡ଼ାଣ ହୋଇଥାଏ।
ଏହା ପୂର୍ବରୁ ୨୦୨୩ ଅକ୍ଟୋବର ୭ରେ ବିମାନ କମ୍ପାନି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ଦୃଷ୍ଟିରେ ଅସ୍ଥାୟୀ ଭାବରେ ଉଡ଼ାଣ ରଦ୍ଦ ନିଷ୍ପତ୍ତି ନେଇଥିଲା। ଆଉ ପୁନଶ୍ଚ ପାଞ୍ଚ ମାସ ପରେ ମାର୍ଚ୍ଚ ୩ରେ ଇସ୍ରାଏଲକୁ ଉଡ଼ାଣ ସେବା ଆରମ୍ଭ କରାଯାଇଥିଲା । କିନ୍ତୁ ଏବେ ପୁଣି ଉଡ଼ାଣ ରଦ୍ଦ ହୋଇଛି। ଏୟାର ଇଣ୍ଡିଆ ତରଫରୁ ଆହୁରି କୁହାଯାଇଛି ଯେ, ପରସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ଏୟାର ଇଣ୍ଡିଆ ୟୁରୋପ, ଆମେରିକା ଏବଂ ମଧ୍ୟପୂର୍ବକୁ ଉଡ଼ାଣ ସଞ୍ଚାଳିତ ହୋଇଥାଏ।
ସେପଟେ ଭାରତୀୟ ବିଦେଶ ମନ୍ତ୍ରାଳୟ ଦ୍ବାରା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ ଲୋକଙ୍କ ଇସ୍ରାଏଲ ଏବଂ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଇରାନ କିମ୍ବା ଇସ୍ରାଏଲରେ ରହୁଥିବା ଭାରତୀୟ ଲୋକଙ୍କୁ କୁହାଯାଇଛି ଯେ, ସେମାନେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରନ୍ତୁ ଏବଂ ନିଜର ପଞ୍ଜୀକରଣ କରାନ୍ତୁ। ବିଦେଶ ମନ୍ତ୍ରାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଇସ୍ରାଏଲ ଏବଂ ଇରାନରେ ରହୁଥିବା ଭାରତୀୟ ଲୋକେ ନିଜ ସୁରକ୍ଷା ନେଇ ଅତ୍ୟଧିକ ସାବଧାନ ରୁହନ୍ତୁ।