ବେତନ କାଟ୍ ପ୍ରତ୍ୟାହାର ଲାଗି ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀଙ୍କୁ ପାଇଲଟ ସଂଘଙ୍କ ନିବେଦନ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧: ଏୟାର ଇଣ୍ଡିଆ ପାଇଲଟମାନେ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀଙ୍କୁ ସେମାନଙ୍କ ବେତନ କାଟ୍ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ନିବେଦନ କରିଛନ୍ତି। ଏଥିଲାଗି ଭାରତୀୟ ବାଣିଜ୍ୟିକ ପାଇଲଟ ସଂଘ (ଆଇପିସିଏ) ବିଭାଗୀୟ ମନ୍ତ୍ରୀଙ୍କୁ ସୋମବାର ଏକ ପତ୍ର ଲେଖିଥିବା ବେଳେ ଘରୋଇ ବିମାନ କମ୍ପାନୀମାନେ ପାଇଲଟଙ୍କ ଅଷ୍ଟେରିଟି କଟ୍‌ ପ୍ରତ୍ୟାହାର କରିସାରିଥିବାରୁ ସରକାର ମଧ୍ୟ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ନିବେଦନ କରିଛନ୍ତି।

ପାଇଲଟଙ୍କ ବେତନ କାଟ ସରକାରଙ୍କ ଏକତରଫା ନିଷ୍ପତ୍ତି ଓ ଏହା ଉପରେ ତୁରନ୍ତ ବିଚାର କରାଯାଉ ବୋଲି ଆଇପିସିଏ ନିବେଦନ କରିଛି। ଏହା ସହ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ପାଇଲଟଙ୍କ ସମସ୍ୟା ସମ୍ପର୍କିତ ପ୍ରସ୍ତାବିତ ବୈଠକ ନେଇ ମଧ୍ୟ ସଂଘ ମନେ ପକାଇଛି। ସେହିପରି କୋଭିଡ-୧୯ ଆକ୍ରାନ୍ତ ହେଉଥିବା ପାଇଲଟଙ୍କୁ ସଙ୍ଗରୋଧ ଓ ଡାକ୍ତରୀ ଚିକିତ୍ସା ଲାଗି ଅନୁନ୍ୟ ଏକମାସ ସମୟ ଲାଗୁଛି। ଏଥିରେ ଏୟାର ଇଣ୍ଡିଆଙ୍କ ନୋ ୱାର୍କ ନୋ ପେ ନୀତି ପାଇଲଟଙ୍କ ଜୀବନ ଦୁର୍ବିସହ କରିଥିବା ମଧ୍ୟ ସୂଚିତ କରିଛନ୍ତି।

ସରକାରଙ୍କ ଏକ ତରଫା ବେତନ କାଟ ନିଷ୍ପତ୍ତି ଯୋଗୁ ପାଇଲଟମାନଙ୍କର ୭୦ ପ୍ରତିଶତ ପର୍ଯ୍ୟନ୍ତ ଦରମା କଟା ଯାଉଛି। ଏଣୁ ପାଇଲଟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ସଂଘ ସୂଚିତ କରିଛି। ଏଣୁ ପାଇଲଟଙ୍କ ସମସ୍ୟା ସମାଧାନରେ ବିଭାଗୀୟ ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି  ଆଇପିସିଏ ପତ୍ରରେ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.