ଏକ ହେବେ ଏୟାର ଏସିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ: ନୂଆବର୍ଷରେ ନୂଆ ସିଇଓ
23/12/2022 at 8:57 AM

ନୂଆଦିଲ୍ଲୀ,୨୩/୧୨: ଟାଟା ଗ୍ରୁପ୍ ଏହାର ଶସ୍ତା ବିମାନ ସେବାକୁ ଗୋଟିଏ ବ୍ରାଣ୍ଡ୍ ଏୟାର ଇଣ୍ଡିଆ ଏକ୍ସପ୍ରେସ ଅଧୀନକୁ ଆଣୁଛି। ଏହିକ୍ରମରେ ଜାନୁଆରୀରେ ଏୟାର ଏସିଆ ଏୟାର ଇଣ୍ଡିଆ ଏକ୍ସପ୍ରେସ ସହ ବିଲୟ ହୋଇଯିବ। ପୂର୍ବରୁ ଏୟାର ଇଣ୍ଡିଆ ଏବଂ ଏୟାର ଭିସ୍ତାରାର ବିଲୟ ହୋଇଛି। ଆଉ ଏବେ ଏୟାର ଏସିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ନେଟଓ୍ବର୍କକୁ ବିସ୍ତାର କରିବ।
ଏୟାର ଇଣ୍ଡିଆ ଟାଟା ଗ୍ରୁପ୍କୁ ଫେରିବା ପରଠାରୁ ଏଥିରେ୍ ଅନେକ ପରିବର୍ତ୍ତନ କରାଯାଇଛି। ଏବେ ନୂଆ ବର୍ଷରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ୟପଟେ ଟାଟା ଗ୍ରୁପ୍ ନିଜ ଶସ୍ତା ଏୟାରଲାଇନ୍ସ ସେବାକୁ ମଧ୍ୟ ଏବେ ଏକାଠି କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବଂ ଏୟାର ଏସିଆ ଇଣ୍ଡିଆର ବିଲୟ ପରେ ହେବାକୁ ଥିବା ନୂଆ ଏୟାରଲାଇନ୍ସକୁ ନୂଆ ବର୍ଷରେ ନୂଆ ସିଇଓ ମିଳିବାକୁ ଯାଉଛି।
ଟାଟା ସମୂହ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଲୟ ପରେ ହେବାକୁଥିବା ନୂଆ ଏୟାର ଇଣ୍ଡିଆ ଏକ୍ସପ୍ରେସର ସିଇଓ ଆଲୋକ ସିଂହ ହେବେ। ସେ ୧ ଜାନୁଆରୀରୁ ନୂଆ କମ୍ପାନୀର କାର୍ଯ୍ୟଭାର ସମ୍ଭାଳିବେ। ଏହା ପୂର୍ବରୁ ସେ ଓମାନ ଏବଂ ଏୟାର ଇଣ୍ଡିଆ ଉଭୟରେ ବଡ଼ ଦାୟିତ୍ବ ସମ୍ଭାଳିଛନ୍ତି।
ଚଳିତ ବର୍ଷ ନଭେମ୍ବରରେ ଏୟାରଏସିଆ ଇଣ୍ଡିଆରେ ମାଲେସିଆର କମ୍ପାନୀ ଏୟାର ଏସିଆ ଏୟାରଲାଇନ୍ସ ଏହାର ବାକିଥିବା ୧୬.୩୩ ପ୍ରତିଶତର ଅଂଶଧନ ଟାଟାର ସ୍ବାମିତ୍ବଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ବିକିଥିଲା । ଏହା ପୂର୍ବରୁ ୨୦୨୦ ରେ ଟାଟା ସମୂହ ଏୟାରଏସିଆ ଇଣ୍ଡିଆ ରେ ଏୟାରଏସିଆରେ ୩୨.୭ ପ୍ରତିଶତ ଅଂଶଧନ କିଣିଥିଲା।
ଏହି ଭଳି ଜଏଣ୍ଟ ଭେଞ୍ଚର ହୋଇଥିବା ଏୟାରଲାଇନ ଏବେ ସଂପୂର୍ଣ୍ଣ ଭାବରେ ଟାଟା ଗ୍ରୁପ୍ରର ହୋଇଛି । ଆଉ ଏହା ସହ ଟାଟା ସମୂହ ଏହାକୁ ନିଜର ଦ୍ବିତୀୟ ଶସ୍ତା ବିମାନ ସେବା ଯୋଗାଉଥିବା କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସର ସହ ବିଲୟ କରିବା ପ୍ରକ୍ରିୟାରେ ରହିଛି। ବିଲୟ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ନେଟଓ୍ବର୍କ ବିସ୍ତାର କରିବ ।