ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା: ଶଙ୍କର ମିଶ୍ରାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଏୟାର ଇଣ୍ଡିଆ

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଳୀ, ୧୯/୦୧: ଏୟାର ଇଣ୍ଡିଆ ବିମାନରେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଥିବା ଯୁବକ ଶଙ୍କର ମିଶ୍ରାଙ୍କୁ ଚାରି ମାସ ପାଇଁ ବ୍ୟାନ୍‌ କରିଛି ଏୟାର ଇଣ୍ଡିଆ। ବିମାନ କମ୍ପାନୀ ଏହାକୁ ନେଇ ଏକ ଅନ୍ତରୀଣ ରିପୋର୍ଟ ମଧ୍ୟ ଦାଖଲ କରିଛି। ଅଭିଯୋଗ ଅନୁଯାୟୀ ମିଶ୍ରା ନିଶାଶକ୍ତ ଅବସ୍ଥାରେ ଗତ ବର୍ଷ ୨୬ ନଭେମ୍ବରରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ନୂଆଦିଲ୍ଳୀ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ।

ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଏୟାର ଇଣ୍ଡିଆ ପ୍ରଥମେ ଶଙ୍କର ମିଶ୍ରାଙ୍କ ଉପରେ ୩୦ ଦିନର ପ୍ରତିବନ୍ଧକ ଲଗାଇଥଲେ ଏହା ସହ ପରିସ୍ଥିତିକୁ ସମ୍ଭାଳିବାରେ ଚାଳକ ଦଳ ଦ୍ବାରା ହୋଇଥିବା ତ୍ରୁଟିର ଯାଞ୍ଚ ପାଇଁ ଅନ୍ତରୀଣ ସମିତିର ଗଠନ କରିଥିଲା। ଯାହାର ରିପୋର୍ଟ ଏବେ ଆସିଛି।

ପୀଡ଼ିତ ମହିଳାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍‌ ୪ ଜାନୁଆରୀରେ ଶଙ୍କର ମିଶ୍ରାଙ୍କ ବିରୋଧରେ ୨୯୪, ୩୫୪, ୫୦୯, ୫୧୦ ଏବଂ ବିମାନ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା।  ଶଙ୍କର ମିଶ୍ରାକୁ ୭ ଜାନୁଆରୀରେ ଗିରଫ କରିଥିଲା ପୋଲିସ୍‌। ଏହାପରେ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ।

ଜାନୁଆରୀ ୧୩ ତାରିଖରେ ଶଙ୍କର ମିଶ୍ରା ଦିଲ୍ଲୀର ଏକ କୋର୍ଟରେ କହିଥିଲା ଯେ ସେ ଆପତ୍ତିଜନକ କାମ କରିନାହିଁ। ଏହା ସହ ସେ ଅଭିଯୋଗ କରିଥିଲା ଯେ ଏଭଳି ଲାଗୁଥିଲା ମହିଳା ନିଜ ଉପରେ ନିଜେ ପରିସ୍ରା କରିଥିଲେ। ମିଶ୍ରାଙ୍କ ଓକିଲ ଦାବି କରିଥିଲେ ଯେ ଏଭଳି ଘଟଣା ଘଟିହିଁ ନଥିଲା।

୪ ଜାନୁଆରୀରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ, ବ୍ୟକ୍ତି ଜଣକ ମହିଳାଙ୍କୁ କ୍ଷମା ମାଗିଥିଲେ ଏବଂ ଅଭିଯୋଗ ନକରିବାକୁ କହିଥିଲେ। କାରଣ ସେ ଚାହୁନଥିଲା ତାଙ୍କର ଏହି କାମ ଯୋଗୁଁ ତାଙ୍କ ପତ୍ନୀ ଏବଂ ପିଲା ଚିନ୍ତିତ ହୁଅନ୍ତୁ। ପୀଡ଼ିତ କହିଛନ୍ତି ଯେ ତାଙ୍କୁ ଅଭିଯୁକ୍ତ ସହ କଥା ହୋଇ ମାମଲା ସମାଧାନ କରିବାକୁ ଅନେକ ଥର କୁହାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.