ମୁମ୍ବାଇ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନରୁ ଖସିପଡି ଏୟାର ହୋଷ୍ଟେସ ଗୁରୁତର

Published By : Prameya-News7 Bureau | October 15, 2018 IST

ମୁମ୍ବାଇ ୧୫|୧୦: ଆଜି ସକାଳେ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲ ବିମାନବନ୍ଦରଠାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏୟାର ଇଣ୍ଡିଆର ବିମାନ ଏଆଇ-୮୬ରୁ ଖସିପଡି ଜଣେ ଏୟାର ହୋଷ୍ଟେସ ଗୁରୁତରଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ଏୟାର ହୋଷ୍ଟେସଙ୍କୁ ମୁମ୍ବାଇ ନାନବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି । ସୂଚନାଯୋଗ୍ୟ ଯେ, ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିବାର କିଛି ମୁହୂର୍ତ୍ତ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା । ସକାଳ ୭ଟା ବେଳେ ଦିଲ୍ଲୀ ପାଇଁ ବିମାନ ଉପରକୁ ଉଠୁଥିଲା । ଠିକ୍ ଏତିକିବେଳେ ଏୟାର ହୋଷ୍ଟେସ (ବିମାନ ପରିଚାରିକା ) ବିମାନର ଦ୍ବାର ବନ୍ଦ କରୁଥିଲେ । ପଛପଟୁ ଧକ୍କା ଲାଗିବା ଫଳରେ ସେ ତଳକୁ ପଡି ଯାଇଥିଲେ । ସୂଚନାଯୋଗ୍ୟ ଯେ, ଗତ ୧୨ତାରିଖରେ କେରଳର ତିରୁଚିରାପଲ୍ଲୀ ବିମାନ ବନ୍ଦରରେ ମଧ୍ୟ ଏୟାର ଇଣ୍ଡିଆର ଏକ ବିମାନ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନବନ୍ଦରରୁ ଉପରକୁ ଉଠିବାବେଳେ ଏହି ବିମାନର ପକ୍ଷଗୁଡିକ ବିମାନବନ୍ଦରର କାନ୍ଥରେ ବାଜି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ବିମାନଚାଳକ ଏ ସଂପର୍କରେ ଅଜ୍ଞ ରହିଥିଲେ । ଦୁବାଇ ଯାଉଥିବା ଏହି ବିମାନର ପକ୍ଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଥିଲା । ଫଳରେ ବିମାନର ରାସ୍ତା ପରିବର୍ତ୍ତନ କରି ତାକୁ ମୁମ୍ବାଇଠାରେ ଅବତରଣ କରାଯାଇଥିଲା । ସେହିଭଳି ଗତ ଏପ୍ରିଲ ମାସରେ ଅମୃତସରରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅଭାବନୀୟ ଘଟଣା ଘଟିଥିଲା । ପ୍ରଚଣ୍ଡ ଝଟକା କାରଣରୁ ବିମାନର ମୁଖ୍ୟ ଦ୍ବାରର ଭିତରପଟ ପ୍ୟାନେଲଟି ଭାଙ୍ଗି ଯାଇଥିଲା ଫଳରେ ବିମାନରେ ଅଦ୍ଭୁତ ଧରଣର କମ୍ପନ ସୃଷ୍ଟି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.