ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହେଲା ନୂତନ ମାଇଲ ଖୁଣ୍ଟ, ଶୁଭାରମ୍ଭ ହେଲା ବାୟୁ ସ୍ଵାସ୍ଥ୍ୟସେବା
11/02/2023 at 2:58 PM

ନବରଙ୍ଗପୁର ୧୧/୦୨: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେଲା ନୂତନ ମାଇଲ ଖୁଣ୍ଟ । ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ବାୟୁ ସ୍ୱାସ୍ଥ୍ୟ ସେବା । ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ।
ଉପାନ୍ତ ଅଞ୍ଚଳରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ୱରର ବିଭିନ୍ନ ବିଭାଗର ସୁପର ସ୍ପେସାଲିଷ୍ଟ ଆସି ପହଂଚି ସେବା ଯୋଗାଇଦେବେ।ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ବାୟୁ ସ୍ୱାସ୍ଥ୍ୟସେବା ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଲକରେ ଲୋକ ମାନଙ୍କୁ ଅବଗତ କରାଯାଇଛି ।
ରାଜ୍ୟର ବଛା ବଛା ପ୍ରସିଦ୍ଧ ୟୁରୋଲୋଜିଷ୍ଟ, ଜେନେରାଲ ସର୍ଜରୀ, କାଡିଓଲୋଜିଷ୍ଟ, ନେଷ୍ଟ୍ରୋ ଲୋଜିଷ୍ଟ, ଗେଷ୍ଟ୍ରୋ ନେଟେରୋ ଲୋଜିଷ୍ଟ, ରେଡିଓ ଲୋଜିଷ୍ଟ ଆନାସ୍ଥେସିଆ ବିଶେଷଜ୍ଞ ମାନେ ଦିନେ ବଡ ବଡ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବେଳେ ସେମାନେ ରୋଗୀ ନିକଟରେ ପହଞ୍ଚି ରବିବାର ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ।
ନବରଙ୍ଗପୁର ଭଳି ଆଦିବାସୀ ଇଲାକାର ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡୁଥିଲା ବର୍ତ୍ତମାନ କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଏହି ଡାକ୍ତର ମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ।