ଲେହ ଏୟାରପୋର୍ଟରେ ଫସିଲା ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ, ବାତିଲ୍ ହେଲା ଏକାଧିକ ଫ୍ଲାଇଟ୍
16/05/2023 at 8:18 PM

ନୂଆଦିଲ୍ଲୀ, ୧୬/୦୫: ମଙ୍ଗଳବାର ଲେହ ବିମାନବନ୍ଦରରେ ଭାରତୀୟ ବାୟୁ ସେନାର ମାଲବାହୀ ବିମାନ ସ-୧୭ ଗ୍ଲୋବମାଷ୍ଟରରେ ତ୍ରୁଟି କାରଣରୁ ଯାତ୍ରୀ ବିମାନ ପରିଚାଳନା ବନ୍ଦ କରାଯାଇଛି। ଗ୍ଲୋବମାଷ୍ଟର ରନଓ୍ବେରେ ଫସିରହିବା କାରଣରୁ ଅନ୍ୟ ବିମାନ ଉଡ଼ାଣ କିମ୍ବା ଅବତରଣ କରିପାରୁନାହାଁନ୍ତି। ଲେହକୁ ଇଣ୍ଡିଗୋ, ଏୟାର ଇଣ୍ଡିଆ, ସ୍ପାଇସଜେଟ୍ ଏବଂ ଭିସ୍ତାରା ଭଳି ଘରୋଇ ବିମାନ କମ୍ପାନି ପ୍ରତିଦିନ ୧୧ଟି ଉଡ଼ାଣ ସଞ୍ଚାଳିତ କରିଥାନ୍ତି।
କୁହାଯାଉଛି ଯେ ସି-୧୭ ଗ୍ଲୋବମାଷ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ରନଓ୍ବେକୁ ବନ୍ଦ କରିବାକୁ ପଡ଼ିଛି। ବାୟୁ ସେନା କହିଛି ଯେ ଏହି ବିମାନ ମଙ୍ଗଳବାର ସକାଳେ ନିୟମିତ ଚେକିଂ ପାଇଁ ଏୟାରପୋର୍ଟରେ ଅବତରଣ କରିଥିଲା। କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଆସିଥିଲା ଯେଉଁ କାରଣରୁ ରନଓ୍ବେ ଅବରୋଧ ହୋଇପଡ଼ିଛି।
ତେବେ ଅଧିକାରୀଙ୍କ କହିବା ଅନୁଯାୟୀ ଗ୍ଲୋବମାଷ୍ଟରରେ ଯାନ୍ତ୍ରିକ ତ୍ରୁଟି କୌଣସି ଗୁରୁତର ସମସ୍ୟା ନୁହେଁ ଏହାକୁ ଖୁବଶୀଘ୍ର ଠିକ୍ କରାଯିବ ଏବଂ ବୁଧବାର ଠାରୁ ଯାତ୍ରୀ ବିମାନ ପୁଣି ଉଡ଼ାଣ ଆରମ୍ଭ କରିବ। ତେବେ ଏୟାର ଇଣ୍ଡିଆର ବିମାନର ଗୋଟିଏ ବିମାନ ଶ୍ରୀନଗରରେ ଅବତରଣ କରିଥିବା ବେଳେ ଆଉ ଗୋଟିଏ ବିମାନ ରଦ୍ଦ କରାଯାଇଛି। ସେହିପରି ସ୍ପାଇସଜେଟ୍ ଲେହ ପାଇଁ ଏହାର ତିନି ଉଡ଼ାଣ ରଦ୍ଦ କରିଛି। ସେହିପରି ଇଣ୍ଡିଗୋ ମଧ୍ୟ ସବୁ ଉଡ଼ାଣ ବାତିଲ କରିଛି।