AIIMS ସର୍ଭର ଲଗାତାର ସପ୍ତମ ଦିନ ମଧ୍ୟ ଠପ, ଇ-ହସ୍ପିଟାଲ ଡାଟାରେ ଚାଲିଛି କାମ
30/11/2022 at 8:26 PM

ନୂଆଦିଲ୍ଲୀ ୩୦।୧୧: ଲଗାତାର ସପ୍ତମ ଦିନ ଦିଲ୍ଲୀ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍)ଙ୍କ ସର୍ଭର ଡାଉନ ରହିଛି। ତେବେ ଇ- ହସ୍ପିଟାଲ ଡାଟାରେ ଏବେ କାମ ଚାଲିଛି। ସେବା ଆରମ୍ଭ କରିବା ପୂର୍ବରୁ ନେଟୱାର୍କର ଏବେବି ସାନିଟାଇଜେସନ ଜାରି ରହିଛି। ଏହା ଛଡା ଭବିଷ୍ୟତରେ ଏପରି କୌଣସି ସାଇବର ଆକ୍ରମଣରୁ ସର୍ଭରକୁ ସୁରକ୍ଷିତ ରଖିବା ପାଇଁ ଉପାୟ ମଧ୍ୟ କରାଯାଉଛି।
ଏଥିଲାଗି ଆଉଟ୍ ପେସେଣ୍ଟ, ଇନ୍ ପେସେଣ୍ଟ ,ଲାବୋରେଟରୀ ସମେତ ସବୁ ହସ୍ପିଟାଲ କାମ ଏବେ ମାନୁଆଲ ମୋଡରେ ଚାଲି ରହିବ। ତେବେ ଏମସ୍ ପକ୍ଷରୁ ଏକ ବିବୃତ୍ତିରେ ଇ-ହସ୍ପିଟାଲ ଡାଟା ସର୍ଭରରେ ବହାଲ କରିଦିଆଯାଇଥିବା ସୂଚିତ କରାଯାଇଛି। ହସ୍ପିଟାଲର ସେବାଗୁଡିକୁ ପୁଣି ବହାଲ କରିବା ଲାଗି ନେଟୱାର୍କକୁ ସଫା କରାଯାଉଥିବା କୁହାଯାଇଛି। ଡାଟାର ମାତ୍ରା ଓ ହସ୍ପିଟାଲରେ ସେବା ସମ୍ପର୍କିତ ସର୍ଭର, କମ୍ପ୍ୟୁଟର ସଂଖ୍ୟା ଅଧିକ ଥିବାରୁ ପ୍ରକ୍ରିୟାରେ କିଛି ସମୟ ଲାଗୁଥିବା ସୂଚିତ କରାଯାଇଛି।
ଗତ ସୋମବାର ଅର୍ଥାତ ନଭେମ୍ବର ୨୮ ତାରିଖ ଦିନ ଏମସ୍ ପକ୍ଷରୁ ବୟାନ ଜାରି କରାଯାଇ ଡାଟା ବହାଲ ଓ ସର୍ଭର ସଫା କାମ ଚାଲିଥିବା କୁହାଯାଇଥିଲା। ତେବେ ଡାଟାର ମାତ୍ରା ଓ ହସ୍ପିଟାଲରେ କମ୍ପ୍ୟୁଟ ଏବଂ ସର୍ଭର ସଂଖ୍ୟା ଯୋଗୁ ଏଥିଲାଗି କିଛି ସମୟ ଲାଗୁଛି ବୋଲି କୁହାଯାଇଥିଲା। ଏମସ୍ ସର୍ଭର ହ୍ୟାକ୍ ମାମଲାର ଯାଞ୍ଚରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ (ଏନଆଇଏ)କୁ ସାମିଲ କରାଯାଇଛି।
ଏହା ଛଡା ଇଣ୍ଡିଆ କମ୍ପ୍ୟୁଟର ଏମାର୍ଜେନ୍ସୀ ରେସପନ୍ସ ଟିମ୍ (ସିଇଆରଟି-ଆଇଏନ), ଦିଲ୍ଲୀ ପୋଲିସ, ଇଣ୍ଟେଲିଜେନ୍ସୀ ବ୍ୟୁରୋ, ସିବିଆଇ ଓ ଗୃହମନ୍ତ୍ରାଳୟ ମଧ୍ୟ ମାମଲାର ଯାଞ୍ଚ କରୁଛନ୍ତି। ଯାଞ୍ଚ ଏଜେନ୍ସୀଙ୍କ ସୁପାରିଶ କ୍ରମେ ଦିଲ୍ଲୀ ଏମସ୍ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏହା ପୂର୍ବରୁ ଏମସ୍ ହସ୍ପିଟାଲ ପରିଚାଳନା ନିମନ୍ତେ ଏକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିୟର (ଏସଓପି) ଜାରି କରିଥିଲେ। ଯେଉଁଥିରେ ଇ-ହସ୍ପିଟାଲ ଡାଉନ ଥିବା ପର୍ଯ୍ୟନ୍ତ ଏମସ୍ରେ ରୋଗୀଙ୍କ ଆଡମିସନ, ଡିଶ୍ଚାର୍ଜ ଓ ସ୍ଥାନାନ୍ତରଣ ମାନୁଆଲି କରାଯିବ ବୋଲି କୁହାଯାଇଥିଲା।