ଜୟଲଳିତାଙ୍କ ଚିକିତ୍ସାରେ କୌଣସି ତ୍ରୁଟି ନାହିଁ, ସଠିକ୍ ଭାବରେ ହୋଇଛି ଡାଏଗ୍ନୋସିସ୍: ଅପଲୋ ହସ୍‌ପିଟାଲ୍‌କୁ ଏମ୍ସ ମେଡିକାଲ ବୋର୍ଡର କ୍ଲିନ ଚିଟ୍

Published By : Prameya-News7 Bureau | August 21, 2022 IST

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କର ଚିକିତ୍ସା ଠିକ୍ ହୋଇଥିଲା। ତାଙ୍କ ଚିକିତ୍ସାର ହସ୍‌ପିଟାଲ ପକ୍ଷରୁ କୌଣସି ତ୍ରୁଟି ହୋଇନଥିଲା। ଘଟଣା ତଦନ୍ତ ପାଇଁ ଗଠିତ ଏମ୍ସ ମେଡିକାଲ ବୋର୍ଡ ପକ୍ଷରୁ ତାମିଲନାଡୁ ଅପୋଲୋ ହସ୍‌ପିଟାଲକୁ କ୍ଲିନ୍‌ ଚିଟ୍ ଦିଆଯାଇଛି।

ଜୟ ଲଳିତାଙ୍କର ସଠିକ ଚିକିତ୍ସା ହୋଇଛି କି ନାହିଁ ତାର ତଦନ୍ତ ପାଇଁ ତାମିଲନାଡୁ ସରକାର ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ଏମ୍ସର ୭ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ଅଗଷ୍ଟ ୪ ତାରିଖରେ ଜୟ ଲଳିତା ଚିକିତ୍ସା ନେଇ ଅନ୍ତିମ ରିପୋର୍ଟ ଦେଇଛି। ଏଥିରେ ମେଡିକାଲ ପକ୍ଷରୁ କୌଣସି ତ୍ରୁଟି ହୋଇ ନାହିଁ ବୋଲି କୁହାଯାଇଛି।

ଜୟଲଳିତାଙ୍କ ଚିକିତ୍ସା ନେଇ ଅପୋଲୋ ପକ୍ଷରୁ ସମସ୍ତ ଚିକିତ୍ସା ବିବରଣୀ ଦିଆଯାଇଥିଲା। ଏଥିରେ ତାଙ୍କର ଅନେକ ସମସ୍ୟା ଥିଲା ଓ ସମସ୍ୟା ଅନୁସାରେ ଚିକିତ୍ସା କରାଯାଉଥିଲା ବୋଲି ହସ୍‌ପିଟଲ କମିଟିକୁ କହିଥିଲା। କମିଟି ସମସ୍ତ ରିପୋର୍ଟ ଯାଞ୍ଚ କରିଥିଲେ। କାର୍ଡିଓଲୋଜୀ ପ୍ରଫେସର ସନ୍ଦୀପ ସେଠ୍‌ଙ୍କ ନେତୃତ୍ୱରେ ତଦନ୍ତ କରୁଥିବା ଏହି କମିଟିରେ ପ୍ଲୁମୋନାରୀ ମେଡିସିନ ମୁଖ୍ୟ ଅନନ୍ତ ମୋହନ, ଆନାସ୍ଥେସଓଲୋଜୀ ପ୍ରଫେସର ଭିମି ରିୱାରୀ, କାର୍ଡିଓଥୋରାସିକ୍ ଭାସ୍କୁଲାର ସର୍ଜରୀ ମିଲିନ୍ଦ ହୋତେ, ଏଣ୍ଡୋକ୍ରିନୋଲୋଜିର ପ୍ରଫେସର ଡ. ରାଜେଶ କେଡଦୱାଟ୍, ଫୋରେନସିକ୍ ମେଡିସିନ ବିଭାଗର ଅତିରିକ୍ତ ପ୍ରଫେସର ଅଭିଶେକ ଯାଦବ, ଡାକ୍ତରଖାନା ପ୍ରଶାସନ ବିଭାଗର ଅନନ୍ତ ନଭୀନ କ. ରେଡ୍ଡୀ ସାମିଲ୍ ଥିଲେ।

ଜୟଲଳିତଙ୍କ ବିୟୋଗ ପରେ ତାଙ୍କ ଚିକିତ୍ସାକୁ ନେଇ ନାନା କଥା ଶୁଣିବାକୁ ମିଳିଥିଲା। ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା। ପରେ ଇଡାପାଡି ପାଲାନୀସ୍ୱାମୀଙ୍କ ନେୃତ୍ୱାଧୀନ ଏଆଇଏଡିଏମ୍‌କେରେ ପୁଣିଥରେ ମିଶିବା ପାଇଁ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପନୀର ସେଲଭମ ଜୟଲଳିତାଙ୍କ ଚିକିତ୍ସାର ତଦନ୍ତ ଦାବି କରି ସର୍ତ୍ତ ରଖିଥିଲେ। ଏହି ସର୍ତ୍ତ ଅନୁସାରେ ପାଲାନୀ ସ୍ୱାମୀଙ୍କ ସରକାର ତଦନ୍ତ ପାଇଁ ୨୫ ସେପ୍ଟେମ୍ବର ୨୦୧୭ରେ ଏକ ତନ୍ତକାରୀ କମିଶନ ଗଠନ କରିଥିଲେ। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରୁମୁଘାସ୍ୱାମୀଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରାଯାଇଥିଲା।  

ଏହାପରେ ଅକ୍ଟୋବର ୨୧ ତାରିଖରେ ଅପଲୋ ହସ୍‌ପିଟାଲ୍ ଏହା ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲା। କମିଶନ ପକ୍ଷପାତ କରୁଛି ଯାହା ନ୍ୟାଚୁରାଲ ଜଷ୍ଟିସର ଉଲ୍ଲଂଘନ ହେଉଛି। ତେଣୁ କମିଶନ ଖାରଜ କରିବାକୁ ହସ୍‌ପିଟାଲ ପକ୍ଷରୁ ଆବେଦନ କରାଯାଇଥିଲା। ଏହାପରେ ୨୦୨୧ ନଭେମ୍ବରରେ ସୁପ୍ରିମକୋର୍ଟ ମମଲାରେ ରାୟ ଶୁଣାଇ ଏମ୍ସର ଏକ୍ସପର୍ଟଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.