କରୋନା ଭ୍ୟାକସିନ୍‌କୁ ନେଇ ଆସିଲା ଖୁସି ଖବର, AIIMS ନିର୍ଦ୍ଦେଶକ କହିଲେ- ‘ଜାନୁଆରୀ ବେଳକୁ ଭାରତକୁ ମିଳିଯିବ ଟିକା’

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୦୩/୧୨: ଦେଶରେ କରୋନା ଗ୍ରାଫ୍‌ ନିମ୍ନଗାମୀ ହେଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୩୫ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଗତିରେ ବ୍ରେକ୍‌ ଲାଗୁଥିବା ନେଇ ଖୁସି ଜାହିର କରିଛନ୍ତି ଦିଲ୍ଲି ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ। ନିୟମ ପାଳନ ଜାରି ରଖିଲେ କରୋନା ଗ୍ରାଫ କିରିଚାଲିବ ବୋଲି ଗୁଲେରିଆ କହିଛନ୍ତି।

ଆସନ୍ତା ୩ ମାସ ଗୁରୁତ୍ବପୂର୍ଣ୍ଣ। ଯଦି ସାବାଧାନତା ଅବଲମ୍ବନ ଜାରି ରଖିବା ତେବେ କରୋନା ମହାମାରୀ ଭୟାବହତାକୁ ଅତିକ୍ରମ କରିପାରିବା ବୋଲି ଗୁଲେରିଆ କହିଛନ୍ତି। ଏହା ସହ କରୋନା ଟିକାକୁ ନେଇ  ଖୁସି ଖବର ଦେଇଛନ୍ତି ଡାକ୍ତର ରଣଦୀପ ଗୁଲେରିଆ। ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଟିକା ଅନ୍ତିମ ପର୍ଯ୍ୟାୟ ଟ୍ରାଏଲରେ ପହଞ୍ଚିସାରିଛି। ଚଳିତ ମାସ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରୁ କରୋନା ଭ୍ୟାକସିନ୍‌ ଉବଲବ୍ଧ ହେବା ସହ ଜରୁରୀକାଳୀନ ଟିକାକରଣ ପାଇଁ ଅନୁମତି ମିଳିଯିବ ବୋଲି ଗୁଲେରିଆ ଆଶା ପ୍ରକଟ କରିଛନ୍ତି। ଟିକା ବିତରଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଯାହାଦ୍ବାରା ଲୋକଙ୍କୁ ଟିକା ଦେବା କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି।

କରୋନା ଭ୍ୟାକସିନକୁ ନେଇ ମିଳିଥିବା ତଥ୍ୟ ଆଶ୍ବସ୍ତିକର। କାରଣ ଏହି ଟିକା ସୁରକ୍ଷିତ ଓ ପ୍ରଭାବଶାଳୀ। ୭୦ ହଜାରରୁ ୮୦- ହଜାର ସ୍ବେଚ୍ଛାସେବୀଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯାଇଥିବା ବେଳେ କୌଣସି ପ୍ରତିକୂଳ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଡାଟା କହୁଛି ଟିକା ସୁରକ୍ଷିତ । ଅଧିକ ସଂଖ୍ୟାର ଲୋକଙ୍କ ଶରୀରରେ ଟିକା ପ୍ରୟୋଗ କରିବା ପରେ କିଛି ଲୋକଙ୍କ ଶରୀରରେ କୌଣସି ନା କୌଣସି ରୋଗ ଦେଖିବାକୁ ମିଳେ କିନ୍ତୁ ତାହା ଟିକା ସମ୍ବନ୍ଧୀୟ ନୁହେଁ ବୋଲି ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.