ଭୁବନେଶ୍ୱର ୨୧।୦୭: ଭାଙ୍ଗିଲା ଓଡ଼ିଶା ପ୍ରଦେଶ କମିଟି । AICC ସଭାପତିଙ୍କ ଅନୁମୋଦନ କ୍ରମେ ପିସିସିର ସବୁ କମିଟି ଭଙ୍ଗ ହୋଇଛି। ସମସ୍ତ କମିଟି ଭାଙ୍ଗିବା ସହ ସବୁ ପଦାଧିକାରୀ ଦାୟିତ୍ବରୁ ହଟିଛନ୍ତି । ପିସିସି ଓ କାର୍ଯ୍ୟକାରୀ କମିଟି ମଧ୍ୟ ଭଙ୍ଗ ହୋଇଛି। ତେବେ ଜିଲ୍ଲା ସଭାପତିମାନେ ସଭାପତି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି ।
ଭାଙ୍ଗିଲା ପ୍ରଦେଶ କଂଗ୍ରେସ କମିଟି । ନିର୍ବାଚନ ପରେ ଓଡ଼ିଶାକୁ ନେଇ AICCର ବଡ ନିଷ୍ପତ୍ତି। ଛାତ୍ର ଠୁ ଯୁବ, ମହିଳା ଠୁ ନେଇ କିଷାନ ରାଜ୍ୟ କଂଗ୍ରେସର ସବୁ କମିଟିକୁ ଆଜି AICC ଭାଙ୍ଗିଦେଇଛି । ତେବେ ହଠାତ କଂଗ୍ରେସ କାହିଁକି ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ହାଇକମାଣ୍ଡ। ଯାହାକୁ ନେଇ ନ୍ୟୁଜ ସେଭେନ ଗତ ୧୨ ତାରିଖରେ ପ୍ରଥମେ ଖବର ପ୍ରସାରଣ କରିଥିଲା । କଂଗ୍ରେସରେ ଆମୂଳ ଚୂଳ ପରିବର୍ତ୍ତନ ହେବାକୁ ଯାଉଛି ବୋଲି କହିଥିଲା। ଆଉ ଏବେ ସେମିତି ହିଁ ହେବାକୁ ଯାଉଛି।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ୯ ରୁ ୯୦ ଫର୍ମୁଲାରେ ଫେଲ ମାରିବା ପରେ ତାଙ୍କ ନେତୃତ୍ୱକୁ ନେଇ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ । ଏପରିକି କିଛି ଯୁବ ଓ ଛାତ୍ର କର୍ମୀ ପାର୍ଟି ଅଫିସରେ କାଳିମାଡ଼ ସହ. ହୋହଲ୍ଲା କରିଥିଲେ। ନିର୍ବାଚନ ପରଠାରୁ କଂଗ୍ରେସ ଭବନ ଯେମିତି ଅଚଳ ହୋଇଯାଇଥିଲା। ମାସାଧିକ କାଳ ଧରି କଂଗ୍ରେସ ଭବନକୁ ପିସିସି ସଭାପତି କିମ୍ବା ବରିଷ୍ଠ ନେତାଙ୍କ ପାଦ ପଡ଼ିନଥିଲା। ଏପରିକି ସର୍ବଦଳୀୟ ବୈଠକକୁ ବି କଂଗ୍ରେସର ପ୍ରତିନିଧି ଯାଇପାରିନଥିଲେ। ଏଭଳି ସ୍ଥିତିରେ ହସ୍ତକ୍ଷେପ କରିଛନ୍ତି ହାଇକମାଣ୍ଡ ଆଉ ଭାଙ୍ଗିଦେଇଛନ୍ତି ପିସିସିର ସବୁ କମିଟି।
ବିଧାନସଭା ବଜେଟ ଅଧିବେଶନର ଦିନକ ପୂର୍ବରୁ AICC ଘୋଷଣା କରିଛି ବିଧାୟକ ଦଳ ନେତା, ଉପ ନେତା ଓ ମୁଖ୍ୟ ସଚେତକଙ୍କ ନାଁ । କଂଗ୍ରେସ ବିଧାୟକ ଦଳ ନେତା ଭାବେ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡ଼ାମ, ଉପ ନେତା ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ମୁଖ୍ୟ ସଚେତକ ଭାବେ ରାଜଗାଙ୍ଗପୁର ବିଧାୟକ ସି ଏସ ରାଜନ୍ ଏକ୍କାଙ୍କ ନାଁ କୁ ମୋହର ମାରିଛନ୍ତି ହାଇ କମାଣ୍ଡ। କାଡାମ କହିଛନ୍ତି ଲୋକଙ୍କ ସମସ୍ୟା ବିଧାନସଭାରେ ଉଠାଇବୁ । ଲୋକହ୍କ ସ୍ବର ହେବୁ । ଦଳର ସମସ୍ତ ବିଧାୟକଙ୍କୁ ସାଥିରେ ନେଇ ଯିବୁ । ସେପଟେ ବିଧାୟକଦଳ ନେତା ଭାବେ ଆଶାୟୀ ଥିବା ତାରା ପ୍ରସାଦ ବାହିନୀପତି ମାରିଛନ୍ତି ତେରଛା ବାଣ। ୫ ଥର ବିଧାୟକ ହୋଇଥିଲେ ବି ତାଙ୍କ ଅଭିମାନ ପରୋକ୍ଷରେ ଜଣାଇଥିଲେ।
ଚର୍ଚ୍ଚା ହେଉଛି କଂଗ୍ରେସ ସାଙ୍ଗଠନିକ ସ୍ତରରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଦଳ ଛାଡ଼ି ବିଜେଡ଼ିକୁ ଯାଇଥିବା କିଛି ନେତା ପୁଣି ଫେରିପାରନ୍ତି। ତେବେ ଏହା ପୂର୍ବରୁ କିଏ ହେବ ପିସିସି ସଭାପତି ତାହା ହିଁ ବଡ଼ ପ୍ରଶ୍ନ। ଏହି ରେସ୍ରେ ସାଂସଦ ସପ୍ତଗିରି ଉଲାକା, ଭେଟରାନ ଭକ୍ତ ଦାସ ଓ ପ୍ରସାଦ ହରିଚନ୍ଦନଙ୍କ ଭଳି ନାଁକୁ ନେଇ ଚର୍ଚ୍ଚା ହେଉଛି।