ଅଖିଳଭାରତ କଂଗ୍ରେସ କମିଟି ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୫ ଜଣିଆ ଏହି ତାଲିକାରେ ଉତ୍ତରପ୍ରଦେଶର ୧୧ଟି ଆସନ ଓ ଗୁଜୁରାଟର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ୧୧ଟି ଆସନ ମଧ୍ୟରୁ ରାୟବରେଲିରୁ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ, ଆମେଠିରୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯାଇଛି। ଫଳରେ ସ୍ୱାସ୍ଥଗତ କାରଣରୁ ସୋନିଆ ଗାନ୍ଧୀ ଭୋଟ ରାଜନୀତିରୁ ଦୁରେଇ ରହିପାରନ୍ତି ବୋଲି କରାଯାଉଥିବା ଆକଳନ ଭୁଲ ପ୍ରମାଣିତ ହୋଇଛି। ଅପରପକ୍ଷରେ ଉତ୍ତରପ୍ରଦେଶର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଲମାନ ଖୁର୍ସିଦଙ୍କୁ ଫାରୁଖାବାଦରୁ ପ୍ରାର୍ଥୀ କରାଯାଇଛି। ସେହିଭଳି କୃଶିନଗରରୁ ଆରପିଏନ ସିଂହ, ସାହାରନପୁରରୁ ଇମ୍ରାନ ମସୁଦ, ବଦାୟୁରୁ ସଲିମ ଇକବାଲ ସେରଓ୍ୱାନୀ, ବାରୁହେଡ଼ାରୁ ଜତିନ ପ୍ରସାଦ, ପୁନ୍ନାବରୁ ଅନୁ ଟଣ୍ଡନ, ଆକବରପୁରରୁ ରାଜାରାମ ପାଲ, ଜାଲୌନରୁ ବ୍ରିଜଲାଲ ଖବରୀ, ଫୈଜାବାଦରୁ ନିର୍ମଳ ଖତରୀଙ୍କୁ ପ୍ରାର୍ଥୀ କରାଯାଇଛି ।
ଗୁଜୁରାଟର ୪ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି । ଅହମଦାବାଦ ପଶ୍ଚିମରୁ ରାଜୁ ପରମାରଙ୍କୁ ପ୍ରର୍ଥୀ କରାଯାଇଥିବା ବେଳେ ଆନନ୍ଦ ଲୋକସଭା ଆସନରୁ ଭରତ ସିଂ ସୋଲାଙ୍କି, ବଦୋଦରାରୁ ପ୍ରଶାନ୍ତ ପଟ୍ଟେଲ, ଛୋଟାଉଦୟପୁରରୁ ରଞ୍ଜିତ ମହନ ସିଂ ରଥୁଆଙ୍କୁ ପ୍ରାର୍ଥୀ କରାଯାଇଛି ।
ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜପାର୍ଟି ସେମାନଙ୍କ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଓ ଗୁଜୁରାଟର ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
{"id":91491}