ପାଟଣା ଓ ସାହାରପଡାରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା
8/09/2022 at 1:57 PM

ପାଟଣା ୦୮।୦୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ ଚାଲିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ରଥ ପରିକ୍ରମା କରି ଅହିଂସା ବାର୍ତ୍ତା ପ୍ରଦାନ କରିବା ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରୁଥିବା ବେଳେ ଆଜି ପାଟଣା ବ୍ଲକରେ ଅହିଂସା ରଥ ପହଞ୍ଚିଛି । ଏହାପରେ ଏହାକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ତେବେ ଏହି ଅହିଂସା ରଥ ପାଟଣା ଓ ସାହାରପଡା ବ୍ଲକର ବିଭିନ୍ନ ଗ୍ରାମ ଦେଇ ପରିକ୍ରମା ଆରମ୍ଭ କରିବା ସହିତ ଦେଶପ୍ରେମ ଏବଂ ଅହିଂସାର ବାର୍ତ୍ତା ବାଣ୍ଟୁଛି । ବିଭିନ୍ନ ବର୍ଗର ଲୋକେ ଅହିଂସା ରଥକୁ ଭବ୍ୟ ସ୍ଵାଗତ ଜଣାଇ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି । ପାଟଣା ବ୍ଲକର ମଲ୍ଲୀପଶି ଛକରେ ପହଞ୍ଚିଥିବା ଅହିଂସା ରଥକୁ ଏକ ଭବ୍ୟ ପରିବେଶ ମଧ୍ୟରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ସ୍ବାଗତ କରିବା ପରେ ପାଟଣା ମୁଖ୍ୟାଳୟ ସ୍ଥିତ ଗୋପିନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ସ୍ୱାଗତ ସଭା କରାଯିବା ସହ ସ୍ବାମ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ କାହ୍ନୁ ଚରଣ ଦାଶଙ୍କ ପତ୍ନୀ ପାର୍ବତୀ ଦାଶଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ।

କଳାକାରମାନଙ୍କ ଚିତ୍ତାକର୍ଷକ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ପତାକା ଧରି ଅହିଂସା ରଥକୁ ସ୍ବାଗତ କରିବାର ଦୃଶ୍ୟ ବେଶ୍ ମନ ମୁଗ୍ଧକର ହୋଇଥିଲା । ନୃତ୍ୟ , ସଙ୍ଗୀତର ତାଳେ ତାଳେ ଏହି ରଥ ବିରାଟ ଶୋଭାଯାତ୍ରାରେ ଯାଉଥିବା ସମୟରେ ଅଞ୍ଚଳ ବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମ ପାଇଁ ପାଟଣା ଓ ସାହାରପଡା ଅଞ୍ଚଳ ତ୍ରିରଙ୍ଗାମୟ ହୋଇଥିଲା।