ମୁମ୍ବାଇରେ ‘ଇଣ୍ଡିଆ‘ ମେଣ୍ଟର ବୈଠକ ପୂର୍ବରୁ ଆପ୍ର ଦାବି, କେଜରିଓ୍ଵାଲଙ୍କୁ କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ
30/08/2023 at 4:39 PM

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ବର୍ଷେରୁ କମ ସମୟ ବାକି ରହିଛି। ପ୍ରତ୍ୟେକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ଶାସକ ଏନଡିଏ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କାଉଣ୍ଟର କରିବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହା ମଧ୍ୟରେ ମୁମ୍ବାଇରେ ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି(ଆପ୍) କେଜରିଓ୍ଵାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛି। ଆପ୍ର ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କଡ଼ କହିଛନ୍ତି ଆପର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କରାଯିବା ଉଚିତ୍। ସେ ଏହାକୁ ନେଇ ଅନେକ ତର୍କ ମଧ୍ୟ ରଖିଛିନ୍ତି ଏବଂ କହିଛନ୍ତି କେଜରିଓ୍ଵାଲ ପ୍ରଧାନମନ୍ତ୍ରୀ ହେଲେ ଦେଶରେ କେଉଁ ଧରଣର ପରିବର୍ତ୍ତନ ଆସିବ।
ଅଧିକ ପଢନ୍ତୁ- ଛତିଶଗଡ଼ ପରେ ମଧ୍ୟପ୍ରଦେଶ; ମାଗଣା ବିଜୁଳି ଓ ଔଷଧ ସହ ଚିକିତ୍ସା, ଓ ଉନ୍ନତ ସ୍କୁଲ ପ୍ରତିଶ୍ରୁତି ଦେଲା ଆପ୍
ଆପ୍ର ମୁଖପାତ୍ର କହିଛନ୍ତି, ସର୍ବୋଚ୍ଚ ଦରବୃଦ୍ଧି ସମୟରେ ବି ଦିଲ୍ଲୀ ଏମିତି ଏକମାତ୍ର ରାଜ୍ୟ ଯେଉଁଠି ଦରଦାମ ନିୟନ୍ତ୍ରଣରେ ରହିଛି। ଲୋକଙ୍କୁ ମାଗଣାରେ ପିଇବା ପାଣି ମିଳୁଛି, ପିଲାଙ୍କୁ ଉତ୍ତମ ଶିକ୍ଷା ମିଳୁଛି। ଏପରିକି ମାଗଣା ବିଜୁଳି ମଧ୍ୟ ଯୋଗାଇ ଦିଆଯାଉଛି। ମହିଳା ଏବଂ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ ତୀର୍ଥ ଯାତ୍ରାର ସୁବିଧା ଯୋଗାଇ ଦିଆଯାଉଛି। ଏସବୁ ସହିତ ଦିଲ୍ଲୀ ପାଇଁ ଲାଭକାରୀ ବଜେଟ୍ ମଧ୍ୟ ଉପସ୍ଥାପନ କରାଯାଇଛି। କେଜରିଓ୍ଵାଲ୍ ସର୍ବଦା ଜନତାଙ୍କ ପ୍ରସଙ୍ଗ ଉଠାଇଥାନ୍ତି। ସେ ପିଏମଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି। ସେ ଡିଗ୍ରୀ ମାମଲା ହେଉ କି ଅନ୍ୟ ପ୍ରସଙ୍ଗ ହେଉ ସେ ମୁଖରତାର ସହ କେନ୍ଦ୍ର ସରକାରଙ୍କୁ ଆହ୍ଵାନ କରି ଆସିଛନ୍ତି।

ତେଣୁ ଅରବିନ୍ଦ କେଜରିଓ୍ଵାଲ ଦେଶର ପ୍ରଧାନମନ୍ତ୍ରୀ ହେଲେ ଦେଶରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ପ୍ରିୟଙ୍କା କକ୍କଡ କହିଛନ୍ତି। ଆମର ଭିଜନ ମେକ ଇଣ୍ଡିଆ ନମ୍ବର ଓ୍ଵାନ ରହିଛି। ଆମେ ଚାହୁଁ ଭାରତରେ ସାମଗ୍ରୀ ନିର୍ମାଣ ହେଉ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାମ ଭାଷଣରେ ସୀମିତ ହୋଇ ଯାଉଛି। ଲାଗୁଛି ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ଭିଜନ ନାହିଁ।
ସୂଚନାଯୋଗ୍ୟ, ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ମୁମ୍ବାଇରେ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ହେବାକୁ ଯାଉଛି। ପ୍ରଥମ ଥର ଇଣ୍ଡିଆର ବୈଠକ ଏମିତି ରାଜ୍ୟରେ ହେବାକୁ ଯାଉଛି ଯେଉଁଠି ମେଣ୍ଟର କୌଣସି ଦଳ ମହାରାଷ୍ଟ୍ର ସରକାରରେ ନାହାନ୍ତି। ବୈଠକରେ ମେଣ୍ଟର ନିର୍ବାଚନୀ ଚିହ୍ନ ତ୍ରିରଙ୍ଗା ପତାକା ଉପରେ ଆଲୋଚନା ହୋଇପାରେ। ପତାକାରେ ଅଶୋକ ଚକ୍ର ରହିବ ନାହିଁ।
ଅଧିକ ପଢନ୍ତୁ- କଂଗ୍ରେସ ନେତାଙ୍କ ବଡ଼ ଦାବି, ମୋଦୀଙ୍କୁ ଧୋକା ଦେଇ ଏନ୍ଡିଏରୁ ଆସି ଇଣ୍ଡିଆରେ ମିଶିବେ କିଛି ଦଳ
ଏହା ପୂର୍ବରୁ ମେଣ୍ଟର ଦୁଇଟି ବୈଠକ ପାଟନା ଏବଂ ବେଙ୍ଗାଲୁରୁରେ ଆୟୋଜିତ ହୋଇ ସାରିଛି। ଉଭୟ ବୈଠକରେ ବିରୋଧୀଙ୍କ ମଧ୍ୟରେ ମେଣ୍ଟକୁ ନେଇ ସକରାତ୍ମକ ଆଲୋଚନା ହୋଇଛି। ପାଟନା ବୈଠକରେ ମେଣ୍ଟ ନେଇ ସହମତି ପ୍ରକାଶ ପାଇଥିବା ବେଳେ ବେଙ୍ଗାଲୁରୁ ବୈଠକରେ ମେଣ୍ଟର ନାମକରଣ ଉପରେ ମୋହର ବାଜିଥିଲା। ମେଣ୍ଟରେ ୨୬ ବିରୋଧୀ ଦଳ ରହିଛନ୍ତି। ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ୨୦୨୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାରକୁ ହରାଇବା।