ମୋଦୀଙ୍କ ତୃତୀୟ ପାଳିରେ ୬ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁଦାୟିତ୍ୱ: ଶିବରାଜଙ୍କୁ କୃଷି ଓ ଖଟ୍ଟରଙ୍କୁ ଶକ୍ତି

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରରେ ଗୁରୁ ଦାୟିତ୍ୱ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଦାୟିତ୍ୱ ମିଳିଛି। ସେହିପରି ହରିଆଣା ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଶକ୍ତି ଓ ସହରି ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। 

ସେହିପରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ନେତା ଜିତନ ରାମ ମାଞ୍ଝୀଙ୍କୁ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ କରାଯାଇଥିବା ବେଳେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜନାଥ ସିଂହ ପୂର୍ବଥର ପରି ଏଥର ବି ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଛି।

ଅନ୍ୟପଟେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଥିବା ବେଳେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କୁ ଉଦୋଗ ଓ ଇସ୍ପାତ ମନ୍ତ୍ରଣାଳୟ ମିଳିଛି।  
ତେବେ ପୂର୍ବଥର ପରି ଏଥର ଅମିତ ଶାହଙ୍କ ପାଖରେ ଗୃହମନ୍ତ୍ରଣାଳୟ, ନୀତୀନ ଗଡ଼କରୀଙ୍କୁ ସଡ଼କ ଓ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ, ନିର୍ମାଳା ସୀତାରମଣଙ୍କୁ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ମିଳଛି। ସେହିପରି ବିଜେପିର ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମିଳିଥିବା ବେଳେ ଏସ୍ ଜୟ ଶଙ୍କରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। 

ଅଶ୍ୱିନୀ ବୈଷ୍ଣବ ପୂର୍ବପରି ରେଳମନ୍ତ୍ରଣାଳୟ ଦାୟିତ୍ୱ ମିଳିଥିବା ବେଳେ ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି। ପ୍ରହ୍ଲାଦ ଯୋଶୀଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂଆ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମିଳିଛି। ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ଜ୍ୟୋତିରାଦିତ୍ୟା ସିନ୍ଧିଆ ବେସାମରକି ବିମାନ ଚଳାଚଳମନ୍ତ୍ରୀ ଥିଲେ। ହେଲେ ତୃତୀୟ ପାଳିରେ ତାଙ୍କୁ ଉତ୍ତର ପୂର୍ବ ଅଞ୍ଚଳ ବିକାଶ ମନ୍ତ୍ରଣାଳୟ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.