MBA ପାସ୍ ଯୁବକ, ବ୍ୟାଙ୍କ ଚାକିରୀ ଛାଡି କଲେ ଛତୁ ଚାଷ, ମାସକୁ ରୋଜଗାର ହଜାର ହଜାର
21/09/2023 at 3:51 PM

ନୂଆଦିଲ୍ଲୀ ୨୧।୦୯: ସବୁ ଯୁବବର୍ଗ ଚାହାନ୍ତି ପାଠ ପଢି ଭଲ ଚାକିରୀ କରିବେ ।କିନ୍ତୁ ଏମିତି ଜଣେ ଯୁବକ ଅଛନ୍ତି ଯିଏକି ବ୍ୟାଙ୍କ୍ ଚାକିରୀ ଛାଡି କରୁଛନ୍ତି ଛତୁ ଚାଷ । ଏଥିରୁ ମୋଟା ଅଙ୍କରେ ରୋଜଗାର ମଧ୍ଯ କରୁଛନ୍ତି । ଆମେ କହୁଛୁ ଝାଡଖଣ୍ଡର ଦେବାଶିଷ କୁମାରଙ୍କ କଥା । ଦେବାଶିଷ ପୂର୍ବ ସିଂହଭୂମ ଜିଲ୍ଲାର ଜାମସେଦପୁରର ବାସିନ୍ଦା । ସେ ଦେଢ ଏକର ଜମିରେ ଛତୁ ଚାଷ କରିଛନ୍ତି । ଯେଉଁଥିରୁ ମାସକୁ ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।

ଦେବାଶିଷ MBA ପାସ୍ କରିଛନ୍ତି । କିନ୍ତୁ ତାଙ୍କ ମନ ଥିଲା ଚାଷ କରିବାରେ । ୨୦୧୫ ପୂର୍ବରୁ ସେ HDFC ବ୍ୟାଙ୍କରେ ଚାକିରୀ କରିଥିଲେ । ଏହି ସମୟ ସେ ବିହାରର ସମସ୍ତିପୁରରେ ଥିବା ରାଜେନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ଏଠାରେ ସେ ଛତୁ ଚାଷ ବିଷୟରେ ସୂଚନା ପାଇଥିଲେ । ଏଥିପାଇଁ ସେ ବ୍ୟାଙ୍କ ଚାକିରୀ ଛାଡି ଆରମ୍ବ କରିଥିଲେ ଛତୁ ଚାଷ । ଆଉ ଏହି ଚାଷ ବଦଳାଇଥିଲା ତାଙ୍କର ଭାଗ୍ୟ । ସବୁଠାରୁ ବଡ କଥା ହେଉଛି ଦେବାଶିଷ ମାତ୍ର ୧ ହଜାର ଟଙ୍କାରେ ଆରମ୍ଭ କରିଥିଲେ ବ୍ୟବସାୟ । ତେବେ ପ୍ରାରମ୍ଭରେ ତାଙ୍କ ପରିବାର ସଦସ୍ୟ ତାଙ୍କ ନିଷ୍ପତ୍ତିକୁ ବହୁତ ବିରୋଧ କରିଥିଲେ । କିନ୍ତୁ ସେ ତାଙ୍କ କାମ କରିଚାଲିଥିଲେ ।

ଦେବାଶିଷଙ୍କର ଗାଁରେ ଏକ ବଡ ଘର ରହିଛି । ସେହି ଘରରୁ ସେ ୪ଟି ବଖରାରେ କରୁଛନ୍ତି ଛତୁ ଚାଷ । ତାଙ୍କୁ ପ୍ରଥମଥରରେ ହିଁ ମିଳିଥିଲା ସଫଳତା । ଛତୁ ଉତ୍ପାଦନ ଭଲ ହୋଇଥିଲା ଏବଂ ମାର୍କେଟରେ ଭଲ ଦାମ୍ ମଧ୍ୟ ମିଳିଥିଲା । ଯେଉଁଠାରୁ ସେ ମୋଟା ଅଙ୍କର ରୋଜଗାର କରିଥିଲେ । ଏହା ପରେ ପଛକୁ ଚାହିଁନାହାନ୍ତି । ସବୁଠାରୁ ବଡ କଥା ହେଉଛି ଦେବାଶିଷ ନିଜେ ଛତୁ ଚାଷ କରିବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ଛତୁ ଚାଷର ଟ୍ରେନିଂ ଦେଉଛନ୍ତି ।

ଦେବାଶିଷଙ୍କ କହିବା କଥା ହେଉଛି ୪ଟି କୋଠରୀର କ୍ଷେତ୍ର ପ୍ରାୟ ଦେଢ ଏକର ଜମି ସହିତ ସମାନ । ଗ୍ରୀଷ୍ମ ଋତୁରେ ରୁମର ତାପମାତ୍ରା ହ୍ରାସ କରିବାକୁ ଭୂମିରେ ତିନି ଇଞ୍ଚ ବାଲି ବିଚ୍ଛାଇ ଦିଅନ୍ତି । ଆଉ ଏହାପରେ ପାଣି ସିଞ୍ଚନ କରିବାରୁ ରୁମର ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ । ଦେବାଶିଷ ମୁଖ୍ୟତ ମିଲ୍କ ଛତୁ , ଓଷ୍ଟର, ଧାନ ନଡ଼ା ଏବଂ କ୍ଲାଉଡ୍ ଛତୁ ଚାଷ କରନ୍ତି । ଶୀତଦିନେ ୪ଟି ରୁମ୍ ବଦଳରେ ୬ଟି ରୁମ୍ରେ ଛତୁ ଚାଷ କରିଥାନ୍ତି ଦେବାଶିଷ ।
You Can Read: