ଫିଲ୍ମ ଷ୍ଟାଇଲରେ ଅପରେସନ,ଆଗ୍ରାର କିଏ ଏହି ଲେଡି ସିଂଘମ୍ ?

Published By : Prameya-News7 Bureau | October 01, 2024 IST

ଆଗ୍ରା ୧/୧୦: ଶୁନଶାନ ରାସ୍ତାରେ ଏକୁଟିଆ ଅଛି । ଡର ଲାଗୁଛି…ପ୍ଲିଜ ସାହାଯ୍ୟ କରନ୍ତୁ…ରାତିରେ ମହିଳାଙ୍କ ସୁରକ୍ଷା ଯାଞ୍ଚ ପାଇଁ ସାଦା ପୋଷାକରେ ଏମିତି କିଛି କଲେ ମହିଳା ଏସିପି । ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ କରି ମାଗିଲେ ସହାୟତା। ଯାହାକୁ ନେଇ ଏବେ ସବୁଠି ଆଲୋଚନା । ତେବେ କିଏ ଏହି ଲେଡି ସିଂଘମ୍‌ । ଯାହାଙ୍କ ଗୋଟିଏ କଲ୍‌ରେ ପୋଲିସ ଡିପାର୍ଟମେଣ୍ଟରେ ସୃଷ୍ଟି ହେଲା ହଲ୍‌ଚଲ୍‌ 

ଆଗ୍ରାର ଏସିପି ସୁକନ୍ୟା ଶର୍ମା । ବୟସ  ୩୩ । ସାଧାରଣ ପର୍ଯ୍ୟଟକର ପରିଚୟ ଦେଇ ସାଦା ପୋଷାକରେ ରାତିର ସ୍ଥିତି ପରିଖିଛନ୍ତି । ସହରରେ ମହିଳା କେତେ ସୁରକ୍ଷିତ ଓ ପୋଲିସ ତା କାମ ଠିକଭାବରେ କରୁଛି କି ନାହିଁ ତାର ଯାଞ୍ଚ ପାଇଁ ଅଟୋରେ ବୁଲିଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ଉପଲବ୍ଧ ଥିବା ୧୧୨ ନମ୍ବର ରାତିରେ ଠିକରେ ସେବା ଯୋଗାଉଛି କି ନାହିଁ ସେ କଥା ମଧ୍ୟ ପରଖିଛନ୍ତି । 

ପ୍ରଥମେ ଆଗ୍ରା କ୍ୟାଣ୍ଟ ରେଳବାଇ ଷ୍ଟେସନରେ ସାଦା ପୋଷାକରେ ପହଞ୍ଚିଥିଲେ ଏସିପି । ବିଳମ୍ବିତ ରାତି ଓ କାଁ କାଁ ରାସ୍ତା ଯୋଗୁ ଭୟ ଲାଗୁଥିବା ପୋଲିସକୁ ଜଣାଇଥିଲେ । ଆଉ ସହାୟତା ଲୋଡିଥିଲେ । ହେଲ୍ପଲାଇନ ଅପରେଟର ତୁରନ୍ତ ସୁକନ୍ୟାଙ୍କୁ ସୁରକ୍ଷିତ ସ୍ଥାନରେ ଠିଆ ହେବାକୁ କହିବା ସହ ଠିକଣା ପଚାରିଥିଲେ । ସୂଚନା ମିଳିବା ପରେ ଭୟ ନକରି ଛିଡା ହେବାକୁ କହିଥିଲେ । କିଛି ସମୟ ପରେ ସୁକନ୍ୟାଙ୍କୁ ଫୋନ୍‌ କରିଥିଲେ ପାଟ୍ରୋଲିଂ ଟିମ୍‌ । ଆମେ ଆପଣଙ୍କୁ ଆଣିବାକୁ ଯାଉଥିବା କହିଥିଲେ । ଏକଥା ଶୁଣି ପୁରା ଖୁସି ହୋଇଯାଇଥିଲେ ସୁକନ୍ୟା । ପାଟ୍ରୋଲିଂ ଟିମ୍‌କୁ ନିଜର ପରିଚୟ ଦେଇଥିଲେ । କହିଥିଲେ ଜରୁରୀ ସେବା ଠିକ୍‌ ଭାବରେ କାମ କରୁଛି କି ନାହିଁ ଟେଷ୍ଟ କରୁଥିଲି । ଆପଣମାନେ ପାସ୍‌ ହୋଇଛନ୍ତି । 

ଏହା ପରେ ମହିଳାଙ୍କ ସୁରକ୍ଷା ଯାଞ୍ଚ ପାଇଁ ରେଲୱେ ଷ୍ଟେସନରୁ ଅଟୋ ଭଡା କରିଥିଲେ । କେଉଁ ସ୍ଥାନକୁ ଯିବେ କହିବା ସହ ଭଡା ଛିଡାଇ ବସିଥିଲେ । ଡ୍ରାଇଭରକୁ ମଧ୍ୟ ପରିଚୟ ଲୁଚାଇଥିଲେ । ଆଉ ମହିଳାଙ୍କ ସୁରକ୍ଷା ସଂପର୍କରେ କଥା ହୋଇଥିଲେ । ଅଟୋ ଡ୍ରାଇଭର ତାଙ୍କୁ ସୁରକ୍ଷିତ ଭାବରେ ଆଣି ଠିକଣା ଜାଗାରେ ପହଞ୍ଚାଇଥିଲା ଆଉ ଟେଷ୍ଟରେ ପାସ୍‌ ହୋଇଥିଲା ।

ଏସିପି ସୁକନ୍ୟାଙ୍କ ଏମିତି ପଦକ୍ଷେପକୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ସିଂ ଭୁରି ଭୁରି ପ୍ରଶଂସା କରିଛନ୍ତି ।କହିଛନ୍ତି ମଝିରେ ମଝିରେ ଏମିତି ହେବା ଦରକାର । ସେହିପରି ସମାଜସେବୀ ଦୀପିକା ଭରଦ୍ବାଜ କହିଛନ୍ତି ଏସିପି ସୁକନ୍ୟା ଶର୍ମା ମହିଳା ସୁରକ୍ଷା ଦିଗରେ ଉଚିତ ପଦକ୍ଷେପ ନେଇଛନ୍ତି । 

 

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.