ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲିଭୁନି ନିଆଁ, ୧୨ ଘଣ୍ଟା ପରେ ବି ସ୍ଥିତି ଅଣାୟତ୍ତ
9/03/2023 at 8:41 AM

ପୁରୀ ୦୯/୦୩: ପୁରୀ ମରିଚ୍ଚିକୋଟ ଛକ ସମ୍ରାଟ ହୋଟେଲରେ ନିଆଁ ଲାଗିବା ଘଟଣା । ଅଗ୍ନିଶମ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଜାରି ରହିଛି ଅପରେସନ । ଦୀର୍ଘ ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ । ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯଦିଓ କୌଣସି ଜୀବନ ହାନି ହୋଇନାହିଁ ।
ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ କୋଠା । ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଭିତରକୁ ନିଆଁଲିଭା ଟିମକୁ ଯିବାପାଇଁ ନାକେଦମ ହେବାକୁ ହୋଇପଡିଛନ୍ତି । ବନ୍ଦ ରହିଥିବା କୋଠରୀର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି ।
ଉତ୍ତାପର ପରିମାଣ ଏତେ ଅଧିକା ରହିଛି ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । ଏବଂ କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟୁଥିବା ଜଣାପଡୁଛି । ତେଣୁ ଭିତର ବନ୍ଦ ହୋଇ ରହିଥିବା ଦୋକାନ ସବୁର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି ।
ସେପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଏବଂ ପୁରା ଫାୟାର ଟିମ ନିଆଁ ଲିଭାଇବାରେ ନିଜର ଦମ ଲଗାଇଛନ୍ତି । ଓଡ୍ରାଫ ଟିମ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖିଛି । ସେପଟେ ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି । ସେହିପରି ଭିତରେ ଗୋଟିଏ ବ୍ୟାଙ୍କର ଶାଖା ରହିଥିବାରୁ ଏବେ ସେଠି କୌଣସି କ୍ଷତି ହୋଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ରହିଛି ।