ଆଜିଠୁ ପ୍ରବଳ ବର୍ଷିବ : ଦାନା ବାନ୍ଧୁଛି ଲଘୁଚାପ, ୪ ଦିନ ଲାଗି ରହିବ ବର୍ଷା

Published By : Prameya-News7 Bureau | October 18, 2020 IST

ଭୁବନେଶ୍ୱର,୧୮/୧୦: ଦାନା ବାନ୍ଧୁଛି ଲଘୁଚାପ । ସୋମବାର ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ଯାହାକି ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରବିବରଠାରୁ ୪ ଦିନ ଧରି ଓଡ଼ିଶାରେ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଉପକୂଳ ଓଡ଼ିଶାରେ ବି ପ୍ରବଳ ବର୍ଷା ସମ୍ଭାବନା ଅଛି ।


ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ରବିବାର (୧୮ ତାରିଖ) ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ଉତ୍ତର ଉପକୂଳର ଅଳ୍ପ କିଛି ଅଞ୍ଚଳ ସମେତ ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ ଏବଂ ଢେଙ୍କାନାଳରେ ବର୍ଷା ସମ୍ଭାବନା ଅଛି ।ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଏବଂ ଢେଙ୍କାନାଳ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସୋମବାର (୧୯ ତାରିଖ) ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ସହ ଉତ୍ତର ଓଡ଼ିଶାର ଅଳ୍ପ କେତେକ ଜାଗାରେ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ହୋଇପାରେ ।

ମଙ୍ଗଳବାର (୨୦ ତାରିଖ) ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଉତ୍ତର ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

ବୁଧବାର (୨୧ ତାରିଖ) ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେ । ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ ଓ ଉତ୍ତର ଆଭ୍ୟନ୍ତରୀଣର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।
ଲଗାଣ ବର୍ଷା ସମ୍ଭାବନା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ସତର୍କ କରାଇଦେଇଛନ୍ତି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି ଉପୁଜିପାରେ। ତେଣୁ ସେଠାରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବା ସହ ଆବଶ୍ୟକ ମୁତାବକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.