ତୁର୍କୀରେ ସିରିଜ୍ ଭୂମିକମ୍ପ, ପୁଣି ଥରିଲା ସୀମାନ୍ତ ସହର କହ୍ରାମନମରାସ, ସେପଟେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଲା
13/02/2023 at 10:14 AM

ନୂଆଦିଲ୍ଲୀ: ପ୍ଲେଟ୍ ଚଳନ ଯୋଗୁ ସିରିଆ ଓ ତୁର୍କୀରେ ଲଗାତାର ଭୂମିକମ୍ପ । ପୁଣି ଥରିଲା ତୁର୍କୀ-ସିରିଆର ସୀମାନ୍ତ ଅଞ୍ଚଳ । କହ୍ରାମନମରାସ ସହରରେ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ତିବ୍ରତା ୪.୭ ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭୂତ ହେବା ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ ।
ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ସୂଚନା ଅନୁଯାୟୀ, ରବିବାର ତୁର୍କୀର କହ୍ରାମନମରାସ ସହରରେ ୪.୭ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଲଗିଛି । ଭୂମିକମ୍ପର କେନ୍ଦ୍ରସ୍ଥଳି କହ୍ରାମନମରାସ ଦକ୍ଷିଣ ପ୍ରାନ୍ତରେ ରହିଛି । ରବିବାର ଲୋକାଲ ସମୟ ରାତି ୧୨.୦୩ ମିନଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଅନ୍ୟପଟେ ଗତ ସୋମବାର ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଲଗାତାର ମୃଖ୍ୟା ବଢ଼ିବାରେ ଲାଗିଛି । ୬ଦିନ ପରେ ବି ଧ୍ବଂସାବଶେଷ ତଳୁ ମୃତଦେହ ଉଦ୍ଧାର ହେଉଛି । ଶକ୍ତିଶାଳୀ ଭୂମିକମ୍ପରେ ଦୁଇ ଦେଶରେ ପ୍ରାୟ ୩୪ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । କେବଳ ତୁର୍କୀରେ ୨୯ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ସିରିଆରେ ପ୍ରାୟ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ସେହିପରି ଗୁରୁତରଙ୍କ ସଂଖ୍ୟା ୧ଲକ୍ଷ ପାର୍ କରିଛି ।