‘ବିରିୟାନୀ’ ପୁଣି ହେଲା ଦେଶ ବିରୋଧୀ: ଆନ୍ଦୋଳନରେ କୃଷକମାନଙ୍କୁ ବିରିୟାନୀ ବଣ୍ଟାଯାଉଥିବା ଭିଡିଓ ଭାଇରାଲ୍
1/12/2020 at 1:34 PM

ନୂଆଦିଲ୍ଲୀ ୦୧/୧୨ : ନାଗରିକତା ସଂଶୋଧନ ବିଲ ବା ସିଏଏ (CAA) ବିରୋଧରେ ଦିଲ୍ଲୀ ଶାହୀନବାଗରେ ଅନେକ ସପ୍ତାହ ଯାଏଁ ଧାରଣା ଓ ବିରୋଧ ପ୍ରଦର୍ଶନ ଜାରି ରହିଥିଲା। ଧାରଣାରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ। ମହିଳାଙ୍କ ଧାରଣା ମଧ୍ୟରେ ବିରିୟାନୀକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହୋଇଥିଲା। ସିଏଏ ବିରୋଧୀ ଧାରଣା ଶେଷ ହେବାର ପାଖାପାଖି ବର୍ଷେ ହୋଇଯାଇଛି। କିନ୍ତୁ ଏବେ ବି ବିରିୟାନୀକୁ ନେଇ ମଝି ମଝିରେ ଚର୍ଚ୍ଚା ହେଉଛି।
ସେପ୍ଟେମ୍ବର ମାସରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ ଶାହୀନବାଗରେ କେଜ୍ରିୱାଲ ପ୍ରଦର୍ଶନକାରୀଙ୍କୁ ବିରିୟାନୀ ଖୁଆଉଛନ୍ତି।
ବର୍ତ୍ତମାନ ଦିଲ୍ଲୀ ସୀମାରେ କୃଷକ ଆଇନ ବିରୋଧ କରୁଥିବା କୃଷକମାନେ ଧାରଣା ଦେଇଛନ୍ତି। ଧାରଣାରେ କୃଷକମାନଙ୍କ ମଧ୍ୟରେ ବିରିୟାନୀ ବଣ୍ଟାଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ଦେଶଦ୍ରୋହୀ ଓ ଖାଲିସ୍ଥାନ ବିଚାରଧାରା ସମ୍ପନ୍ନ ଲୋକ କୃଷକ ଆନ୍ଦୋଳନକୁ ଉସୁକାଉଥିବା ଅଭିଯୋଗ ମଧ୍ୟ ହୋଇଛି।
କୃଷକମାନଙ୍କ ମଧ୍ୟରେ ବିରିୟାନୀ ପରସା ଯାଉଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପ୍ରଦର୍ଶନରେ ବିରିୟାନୀ ବଣ୍ଟାଯାଉଥିବାରୁ ବିରିୟାନୀକୁ ଆଣ୍ଟି-ନ୍ୟାସନାଲ ଫୁଡ ବୋଲି କୁହାଯାଉଛି।