ଭୂକମ୍ପର ୩୬ ଘଣ୍ଟାରେ ୧୦୯ ଥର ଝଟକା, ତୁର୍କୀ ଏବଂ ସିରିଆର ସହର ପାଲଟିଛି ଧ୍ୱଂସସ୍ତୁପ, ସାମନାରେ ଏବେ ନୂଆ ବିପଦ
7/02/2023 at 5:56 PM

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ୭.୮ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପର ୩୬ ଘଣ୍ଟାରେ ୧୦୦ରୁ ଅଧିକ ଭୂକମ୍ପ ପରବର୍ତ୍ତୀ ଝଟକା (ଆଫ୍ଟରସକ୍) ଅନୁଭୂତ ହୋଇଛି । ଏଥିରେ ତୀବ୍ରତା ତିନିରୁ ଆରମ୍ଭ କରି ୬ ଏବଂ ୭.୫ ଯାଏଁ ରହିଛି । ତୁର୍କୀ ଏବଂ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ସହର ଗୁଡିକ ଧ୍ୱଂସସ୍ତୁପ ପାଲଟି ଯାଇଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳରୁ ସାମନାକୁ ଆସୁଥିବା ଭିଡିଓରେ ବିନାଶର କରାଳ ରୂପ ଦେଖିବାକୁ ମିଳୁଛି ।
ତୁର୍କୀ ଏବଂ ସିରିଆରେ ବର୍ତ୍ତମାନ ସୁଦ୍ଧା ୫୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଅନେକ ରିପୋର୍ଟରେ କୁହାଯାଇଛି । ତୁର୍କୀରେ ୫୬୦୦ରୁ ଅଧିକ ବିଲ୍ଡିଂ ଭୁଶୁଡି ପଡିଛି । ତୁର୍କୀ ଏବଂ ସିରିଆରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସୁରକ୍ଷାକର୍ମୀ ସମସ୍ତ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ଥଣ୍ଡା ଏବଂ ତୁଷାରପାତ ଉଦ୍ଧାରକାରୀ ଦଳ ଆଗରେ ବଡ଼ ଆହ୍ୱାନ ସୃଷ୍ଟି କରିଛି । ତୁର୍କୀର ଅନେକ ଅଞ୍ଚଲରେ ସ୍ନୋ ଷ୍ଟ୍ରୋର୍ମର ଆଶଂକା ମଧ୍ୟ ପ୍ରକାଶ ପାଇଛି ।
ତୁର୍କୀରେ ସୋମବାର ସକାଳ ୪:୧୭ ମିନିଟ୍ ସମୟରେ ୭.୮ ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ର ଗାଜିୟାଣ୍ଟେପ ନିକଟରେ ରହିଥିବା ଜଣାପଡିଥିଲା । ଏହା ସିରିଆର ସୀମାଠାରୁ ୯୦ କି.ମି ଦୂରରେ ରହିଛି । ସିରିଆର ଅନେକ ସହରରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ ହୋଇଥିଲା । ଏହା ତୁର୍କୀରେ ୧୦୦ ବର୍ଷରେ ସବୁଠୁ ଅଧିକ ତୀବ୍ରତାର ଭୂକମ୍ପ ଥିବା କୁହାଯାଉଛି ।
ତୁର୍କୀରେ ୭.୮ ତୀବ୍ରତାର ଭୂକମ୍ପ ପରେ ବର୍ତ୍ତମାନ ସୁଦ୍ଧା ୧୦୯ ଆଫ୍ଟରସକ୍ ଆସିଛି । ଭୂକମ୍ପର ୯ ଘଣ୍ଟା ପରେ ଆସିଥିବା ଆଫ୍ଟରସକର ତୀବ୍ରତା ୭.୫ ରହିଥିଲା । ସାରା ଦୁନିଆର ଭୂ-ବୈଜ୍ଞାନିକଙ୍କ ଆକଳନ ଥିଲା ତୁର୍କୀରେ ପ୍ରଥମ ଭୂକମ୍ପ ପରେ କେବଳ ୬.୮ ତୀବ୍ରତା ଯାଏ ପରବର୍ତ୍ତୀ ଝଟକା ଆସିବ, କିନ୍ତୁ କିଛିର ତୀବ୍ରତା ଏହାଠାରୁ ବହୁ ଅଧିକ ରହିଛି ।
ତୁର୍କୀ ଏବଂ ସିରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତ ମଧ୍ୟ ନିଜର ରେସ୍କ୍ୟୁ ଟିମ୍ ତୁର୍କୀ ପଠାଇ ସାରିଛି । ଅନ୍ୟପଟେ ଆମେରିକା ସହ ନାଟୋର ସମସ୍ତ ସଦସ୍ୟ ଦେଶ ତୁର୍କୀ ପାଇଁ ସହଯୋଗର ହାତ ବଢାଇଛନ୍ତି ।