ମହଙ୍ଗା ପଡ଼ିଲା କ୍ଲାସ୍ରୁମ୍ରେ ମଦ ପିଇବା; ଅଧ୍ୟକ୍ଷଙ୍କୁ କଲେଜ୍ରୁ ତଡ଼ିଦେଲେ ଅଞ୍ଚଳବାସୀ
25/01/2023 at 11:11 PM

ନିଆଳି ୨୫/୦୧: କଲେଜ ଶ୍ରେଣୀ ଗୃହରେ ଅଧ୍ୟକ୍ଷ ମଦ ପିଇବା ଭିଡିଓ ଭାଇରାଲ ପରେ କଲେଜ୍ ପରିସରରେ ଉତ୍ତେଜନା ଦେଖାଯାଇଛି। ଅଞ୍ଚଳବାସୀ ଅଧ୍ୟକ୍ଷଙ୍କୁ ଗାଳି ଗୁଲଜ କରି କଲେଜ ପରିସରରୁ ତଡ଼ିଦେଇଛନ୍ତି। ଏମିତି ଏକ ଘଟଣା ନିଆଳି ଥାନା କସର୍ଦ୍ଧାରେ ଥିବା ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା।
ଫଳରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଜନପ୍ରତିନିଧି କଲେଜରୁ ଅଧ୍ୟକ୍ଷଙ୍କୁ ବାହାର କରି ଗେଟରେ ତାଲା ପକେଇଦେଇ ଅଧ୍ୟକ୍ଷଙ୍କୁ ଘେରଉ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଅଧ୍ୟକ୍ଷଙ୍କୁ ଉଦ୍ଧାର କରିଥିଲେ। ଭାଇଲରାଲ୍ ଭିଡିଓରେ ଅଧ୍ୟକ୍ଷ ଶ୍ରେଣୀ ଗୃହରେ ମଦ ପିଇବାର ଦୃଶ୍ୟ ରହିଛି। ଏନେଇ ଆନ୍ଦୋଳନକାରୀ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ଅଧ୍ୟକ୍ଷ ରାଧାକାନ୍ତ ରାଉତ ବର୍ତ୍ତମାନ ଛୁଟିରେ ଥିବା ଜଣାପଡ଼ିଛି।