ରୁଷ ଉପରେ ଆମେରିକାର ପ୍ରତିବନ୍ଧକ, ଶସ୍ତାରେ ତେଲ କିଣା ହୋଇପାରେ ଭାରତ ପାଇଁ ମୁସ୍କିଲ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ରୁଷ ଉପରେ ଆମେରିକାର ନୂଆ ପ୍ରତିବନ୍ଧକ ଭାରତ ପାଇଁ ଅସୁବିଧା ସୃଷ୍ଟି କରିପାରେ। କାରଣ ପ୍ରତିବନ୍ଧକ କାରଣରୁ ଭାରତକୁ ରୁଷରୁ ତେଲ ଆମଦାନୀ କମ୍‌ ହୋଇପାରେ। ସୂଚନାଥାଉକି, ୟୁକ୍ରେନ ଉପରେ ରୁଷ ଆକ୍ରମଣର ଦ୍ବିତୀୟ ବର୍ଷ ଏବଂ ବିରୋଧୀ ନେତା ଏଲେକ୍ସୀ ନବଲନୀଙ୍କ ମୃତ୍ୟୁର ପ୍ରତିଜବାବରେ ଆମେରିକା ଦ୍ବାରା ଶୁକ୍ରବାରଠାରୁ ନୂଆ ପ୍ରତିବନ୍ଧକ ଲଗାଯାଉଛି। ଆଉ ଏହା ଦ୍ବାରା ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା ରହିଛି। ଏମିତି ହେଲେ ଭାରତ ସହ ବାର୍ଷିକ ଯୋଗାଣ ଚୁକ୍ତିକୁ ବଜାୟ ରଖିବା ରୁଷ ପାଇଁ କଠିନ ହୋଇପାରେ। ଉଲ୍ଲେଖଯୋଗ୍ୟ, ଭାରତ ରୁଷ ଠାରୁ କଞ୍ଚାତେଲ କିଣାରେ ସବୁଠୁ ବଡ଼ ଗ୍ରାହକ।

ପ୍ରତିବନ୍ଧକ ମଧ୍ୟରେ ମୁଖ୍ୟ ଟ୍ୟାଙ୍କର ସମୂହ ସୋଭକମ୍ଫଲୋଟ (Sovcomflot) ଏବଂ ଏହାର ୧୪ କଞ୍ଚାତେଲ ଟ୍ୟାଙ୍କରକୁ ଟାର୍ଗେଟ କରାଯାଇଛି। ପ୍ରକୃତରେ ସେମାନଙ୍କ ଉପରେ G7ର ମୂଲ୍ୟ ସୀମାର ଉଲ୍ଲଘଂନ କରିବା ଅଭିଯୋଗରେ ପ୍ରତିବନ୍ଧକ ଲଗାଯାଇଛି। ସେପଟେ ଭାରତୀୟ ରିଫାଇନରୀ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ଯେ, ଏହି ପ୍ରତିବନ୍ଧକ ଫଳରେ ରୁଷ ତେଲ ପାଇଁ ଜାହାଜ ମିଳିବା ମୁସ୍କିଲ ହୋଇଯିବ। ସମ୍ଭବତଃ ମାଲ ଆମଦାନୀ ଦର ବଢ଼ିଯିବ। ଏହାର ଅର୍ଥ ବ୍ୟବସାୟୀ ଏବଂ ରୁଷ କମ୍ପାନିଙ୍କ ଠାରୁ କିଣାଯାଉଥିବା ତେଲ ଉପରେ କମ୍ ଛାଡ଼ ମିଳିବ। ଏହା ବାଦ୍‌ ଆହୁରି ମଧ୍ୟ କୁହାଯାଇଛି ଯେ, ରୁଷକୁ ଆଗକୁ ପ୍ରତିବନ୍ଧକରୁ ବର୍ତ୍ତିବା ପାଇଁ ବ୍ୟବସାୟୀଙ୍କ ଉପରେ ଅଧିକ ନିର୍ଭର ରହିବାକୁ ପଡ଼ିପାରେ। ଏହାଦ୍ବାରା ଅଧିକ ଅନିଶ୍ଚିତତା ଉତ୍ପନ୍ନ ହୋଇପାରେ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା, ମାତ୍ର ୧୦୦ ଟଙ୍କାରେ ଭଲ ହେବ କ୍ୟାନସର ଚିକିତ୍ସା

ଉଲ୍ଲେଖଯୋଗ୍ୟ, ଅଧିକ ସିପିଂ ଖର୍ଚ୍ଚ କାରଣରୁ ଭାରତ ୨୦୨୨ ପୂର୍ବରୁ ବହୁତ କମ୍‌ ରୁଷ ତେଲ କିଣିଥୁଲା । ଅବଶ୍ୟ ୟୁରୋପ ଦ୍ବାରା ରୁଷରୁ ଆମଦାନୀ ବନ୍ଦ ପରେ ଭାରତୀୟ ରିଫାଇନାରୀମାନେ ରୁଷଠାରୁ କମ୍‌ ଦାମ୍‌ରେ ତେଲ କିଣୁଛନ୍ତି। ଏଥିପାଇଁ ୨୦୨୩ରେ ରୁଷ, ଭାରତର ସବୁଠୁ ବଡ଼ ତେଲ ଯୋଗାଣକାରୀ ହୋଇଛି। ଭାରତ ଟର୍ମ ଡିଲ୍‌ ଏବଂ ସ୍ପଟ ମାର୍କେଟ କିଣା ମାଧ୍ୟମରେ ପ୍ରତିଦିନ ପ୍ରାୟ ୧.୬୬ ମିଲିୟନ ବ୍ୟାରେଲ ରୁଷ ତେଲର ଆମଦାନୀ କରିଛନ୍ତି, ଯେତେବେଳେକି ୨୦୨୨ରେ ଏହା ହାରାହାରି ୬୫୨,୦୦୦ ବ୍ୟାରେଲ ପ୍ରତିଦିନ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.