ୟୁଏସ ପରେ ଏବେ ଲାଟିନ୍ ଆମେରିକା ଉପରେ ଦେଖାଗଲା ଚୀନର ଗୁପ୍ତଚର ବେଲୁନ: ପେଣ୍ଟାଗନ
4/02/2023 at 9:22 PM

ନୂଆଦିଲ୍ଲୀ: ଚାଇନିଜ୍ ବେଲୁନକୁ ନେଇ ଏବେ ଆମେରିକାରେ ବେଶ ଚର୍ଚ୍ଚା କରାଯାଉଛି । ଆମେରିକାରେ ଚୀନର ବେଲୁନ ଦେଖାଯିବା ପରେ ପେଣ୍ଟାଗନ ଆଉ ଏକ ଦାବି କରିଛି । ଶୁକ୍ରବାର ଲାଟିନ ଆମେରିକାରେ ମଧ୍ୟ ଚାଇନିଜ ବେଲୁନ ଦେଖିବାକୁ ମିଳିଥିବା ପେଣ୍ଟାଗନ କହିଛି । ପେଣ୍ଟାଗନ ମୁଖପାତ୍ର ପାଟ୍ ରାୟଡର କହିଛନ୍ତି, ‘ଲାଟିନ ଆମେରିକା ଉପରେ ଏକ ବେଲୁନ ଦେଖାଯାଇଛି । ଏହା ଚୀନର ଆଉ ଏକ ସର୍ଭେଲାନ୍ସ ବେଲୁନ ହୋଇଥିବା ଆମେ ଜାଣିବାକୁ ପାଇଛୁ’।
ଲାଟିନ ଆମେରିକାର କେଉଁ ସ୍ଥାନରେ ଚୀନ ବେଲୁନ ଦେଖିବାକୁ ମିଳିଛି ତାହା ପେଣ୍ଟାଗନ ମୁଖ୍ୟପାତ୍ର ରାୟଡର ସ୍ପଷ୍ଟ କରି ନାହାନ୍ତି ।
ଆମେରିକାର ଆକାଶରେ ଚୀନର ଗୁପ୍ତଚର ବେଲୁନ ଦେଖାଯାଇଥିବା ଗୁରୁବାର ପେଣ୍ଟାଗନ ଦାବି କରିଥିଲା । ଆମେରିକା ପ୍ରତିରକ୍ଷାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଥିଲେ ଯେ ଏହି ବେଲୁନ ଗୁଇନ୍ଦାଗିରି ପାଇଁ ନିୟୋଜିତ କରାଯାଇଥିଲା । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ଅଧିକାରୀମାନେ ବେଲୁନକୁ ଗୁଳି କରି ତଳକୁ ଖସାଇବାକୁ ଚାହିଁଥିଲେ, କିନ୍ତୁ ତାହା କରିବା ଦ୍ୱାରା ସେହି ଅଞ୍ଚଳରେ ତଳେ ରହୁଥିବା ଅନେକ ଲୋକଙ୍କ ଜୀବନ ବିପଦରେ ପଡିବ ବୋଲି ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା ।
ଅନ୍ୟପଟେ ଚାଇନିଜ୍ ସରକାର ପ୍ରଥମେ ଏହି ବେଲୁନକୁ ଚିହ୍ନିବାକୁ ମନା କରିଥିଲା, ପରେ କିନ୍ତୁ ଏହା ସିଭିଲିୟନ କ୍ରାଫ୍ଟ ବୋଲି କହିଥିଲା । ଚୀନ କହିଥିଲା, ‘ଏହି ଏୟାରଶିପ୍ ଚୀନର ଏବଂ ଏହା ପାଣିପାଗ ଏବଂ ଅନ୍ୟ ବୈଜ୍ଞାନିକ ଗବେଷଣାରେ ବ୍ୟବହାର ହେଉଥିବା ଏହା ଏକ ସିଭିଲିୟନ କ୍ରାଫ୍ଟ’। ଅନ୍ୟପଟେ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ନିଜର ଚୀନ ଗସ୍ତକୁ ସ୍ଥଗିତ କରି ଦେଇଛନ୍ତି । ଚୀନ ଅଧିକାରୀଙ୍କ ସହ ବୈଠକ ସମୟରେ ବେଲୁନ ପ୍ରସଙ୍ଗ ପ୍ରଭାବ ପକାଇବା ଆଶଂକାରେ ଗସ୍ତକୁ ସ୍ଥଗିତ କରିଛନ୍ତି । ଅନ୍ୟପଟେ ଚୀନର ଏହି ପଦକ୍ଷେପ ଦାୟିତ୍ୱହୀନ ଏବଂ ଗ୍ରହଣୀୟ ବୋଲି ଆମେରିକାର ବିଦେଶ ମନ୍ତ୍ରୀ କହିଥିଲେ ।