ନୂଆଦିଲ୍ଲୀ, ୨୩/୦୨: କଂଗ୍ରେସ ନେତା ପଓ୍ବନ ଖେଡ଼ାଙ୍କୁ ଜାମିନ୍ ମିଳିଛି। ଦ୍ବାରକା କୋର୍ଟ ୩୦ ହଜାର ଟଙ୍କାର ମୁଚାଲିକା ବଦଳରେ ଜାମିନ୍ ଦେଇଛନ୍ତି। ପଓ୍ବନ ଖେଡ଼ାଙ୍କୁ ଏହି ଜାମିନ୍ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମିଳିଛି। ସୁପ୍ରିମକୋର୍ଟ ପଓ୍ବନ ଖେଡ଼ାଙ୍କୁ ଅନ୍ତରୀଣ ଜାମିନ୍ ଦେଇଥିଲେ। ସୂଚନାଯୋଗ୍ୟ, ଖେଡ଼ାଙ୍କୁ ଗିରଫ କରିବା ପରେ ଆସାମ ପୋଲିସ ଦ୍ବାରକା କୋର୍ଟରେ ହାଜର କରିଥିଲା।
ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀ ଏୟାରପୋର୍ଟରୁ ଆସାମ ପୋଲିସ ପଓ୍ବନଙ୍କୁ ଗିରଫ କରିଥିଲା। ତାଙ୍କ ଉପରେ ପିଏମ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିବା ଅଭିଯୋଗ ହୋଇଛି। ଏହି ମାମଲାରେ ଖେଡ଼ାଙ୍କ ବିରୋଧରେ ଆସାମ ସହ ଉତ୍ତରପ୍ରଦେଶ ଲକ୍ଷ୍ନୌ ଏବଂ ବାରଣାସୀରେ ମଧ୍ୟ ଏଫଆଇଆର ରୁଜୁ ହୋଇଥିଲା। ତେବେ କୋର୍ଟରୁ ବାହାରକୁ ଆସିବା ପରେ ଖେଡ଼ା କହିଛନ୍ତି ନ୍ୟାୟପାଳିକା ଉପରେ ସଂପୂର୍ଣ୍ଣ ଭରଷା ରହିଛି। ସତ୍ୟର ଲଢ଼େଇରେ ସଂଘର୍ଷ କରିବାକୁ ପଡିଥାଏ।
ପଓ୍ବନ ଖେଡ଼ାଙ୍କୁ ଗୁରୁବାର ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରାଯାଇଥିଲା। ସେତେବେଳେ ସେ ଇଣ୍ଡିଗୋ ବିମାନରେ ରାୟପୁର ଯାଉଥିଲେ। ଏହାପରେ ପଓ୍ବନଙ୍କ ଗିରଫ ରେ କଂଗ୍ରେସ ସୁପ୍ରିମକୋର୍ଟ ଯାଇଥିଲା। ସୁପ୍ରିମ କୋର୍ଟ ପଓ୍ବନ ଖେଡ଼ାଙ୍କୁ ଅନ୍ତରୀଣ ଜାମିନ୍ ଦେଇଥିଲେ। ଏବେ ମଙ୍ଗଳବାର ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହିଁ। ମଙ୍ଗଳବାର ପୂର୍ବରୁ ତାଙ୍କୁ ପୁଣି ବେଲ୍ ଆବଦନ କରିବାକୁ ପଡ଼ିବ।
ସୁପ୍ରିମକୋର୍ଟରେ ଖେଡ଼ାଙ୍କ ତରଫରୁ ରାଜ୍ୟସଭା ସାଂସଦ ଏବଂ ବରିଷ୍ଠ ଓକିଲ ଅଭିଷେଖ ମନୁ ସିଂଘଭୀ ପକ୍ଷ ରଖିଥିଲେ। ଏହା କେବଳ ତାଙ୍କ ପାଟିରୁ ଭୁଲ୍ରେ ବାହାରିଯାଇଥିଲା ଏବଂ ଖେଡ଼ା ସେହି ସମୟରେ କ୍ଷମା ମଧ୍ୟ ମାଗିଥିଲେ।